ଲର୍ଡ୍ସ: ଲର୍ଡ୍ସରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଭାରତ ଅଗ୍ରଣୀ ହାସଲ କରିବାରେ ବିଫଳ ହୋଇଛି। ତୃତୀୟ ଦିନର ଖେଳରେ ଭାରତ ୩୮୭ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସରେ ଦୁଇ ଦଳର ସ୍କୋର ବରାବର ରହିଛି। ଇଂଲଣ୍ଡ ଷ୍ଟମ୍ପ ଅପସାରଣ ସୁଦ୍ଧା କୌଣସି ଓ୍ଵିକେଟ୍ ନ ହରାଇ ୨ ରନ କରିଛି। ଦୁଇ ଓପନର ଜ୍ୟାକ କ୍ରାଉଲି ୨ ରନ ଓ ବେନ ଡକେଟ୍ ଅପରାଜିତ ଅଛନ୍ତି। ପ୍ରଥମ ଇନିଂସରେ ଭାରତ ପକ୍ଷରୁ କେଏଲ ରାହୁଲ ଚମତ୍କାର ଶତକ ହାସଲ କରିଥିବା ବେଳେ ଋଷଭ ପନ୍ତ ୭୪ ରନ ଓ ରବୀନ୍ଦ୍ର ଜାଡ଼େଜା ୭୨ ରନ କରିଥିଲେ।
ଭାରତ ଦ୍ଵିତୀୟ ଦିନର ଅସମାପ୍ତ ଖେଳ ୧୪୫/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ ଥିଲେ କେଏଲ ରାହୁଲ ଓ ଋଷଭ ପନ୍ତ। ଉଭୟ ପ୍ରଥମ ସେସନରେ ଦ୍ରୁତ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କୁ ଚାପରେ ରଖିଥିଲେ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ରେ ୧୪୧ ରନ ଯୋଡ଼ି ଭାରତର ସ୍ଥିତି ମଜବୁତ କରିଥିଲେ। ପ୍ରଥମ ସେସନର ଶେଷ ଆଡ଼କୁ ପନ୍ତ ୭୪ ରନର ଦମଦାର ଇନିଂସ ଖେଳି ଆଉଟ୍ ହୋଇଥିଲେ। ତାଙ୍କ ପରେ ପରେ କେଏଲ ରାହୁଲ ମଧ୍ୟ ଆଉଟ୍ ହୋଇଥିଲେ। ହେଲେ ଏହା ପୂର୍ବରୁ ସେ ଟେଷ୍ଟରେ ଦଶମ ଶତକ ହାସଲ କରିଥିଲେ। ତାଙ୍କର ୧୦୦ ରନର ଇନିଂସରେ ୧୩ ଚୌକା ସାମିଲ।
ଦୁଇ ସେଟ୍ ବ୍ୟାଟର ପନ୍ତ ଓ ରାହୁଲଙ୍କ ଆଉଟ୍ ପରେ ଅନୁଭବୀ ରବୀନ୍ଦ୍ର ଜାଡ଼େଜା ଓ ନୀତିଶ ରେଡ୍ଡୀ ଦଳର ଇନିଂସ ସମ୍ଭାଳିଥିଲେ। ଉଭୟ ବହୁତ ସତତ୍କାର ସହ ବ୍ୟାଟିଂ କରିଥିଲେ। ଦୁହେଁ ୭୨ ରନ ଯୋଡ଼ିଥିଲେ। ନୀତିଶ ରେଡ୍ଡୀ ୩୦ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଜାଡେଜା ଓ ଓ୍ଵାଶିଂଟନ ସୁନ୍ଦର ସପ୍ତମ ଓ୍ଵିକେଟ୍ରେ ୫୦ ରନ ଯୋଡ଼ିଥିଲେ। ତେବେ ଜାଡ଼େଜା ଆଉଟ୍ ହେବାରୁ ଭାରତ ଅଗ୍ରଣୀ ହାସଲ କରି ପାରି ନ ଥିଲା। ଜାଡେଜା ୭୨ ରନ କରି ପାଭିଲିୟନ ଫେରିଥିଲେ। ଏକଦା ୬ ଓ୍ଵିକେଟ୍ ହରାଇ ୩୭୬ ରନ କରି ଦୃଢ ସ୍ଥିତିରେ ଥିବା ଭାରତ ଶେଷ ୪ ଓ୍ଵିକେଟ୍ ମାତ୍ର ୧୧ ରନରେ ହରାଇ ଅଗ୍ରଣୀ ହେବାର ସୁଯୋଗ ହାତଛଡ଼ା କରିଛି। ଓ୍ଵାଶିଂଟନ ସୁନ୍ଦର(୨୩ ରନ) ଶେଷ ବ୍ୟାଟର ଭାବେ ଆଉଟ୍ ହୋଇଛନ୍ତି। ଆଉ ଭାରତ ୩୮୭ ରନରେ ଅଲଆଉଟ୍ ହୋଇଛି।
ବୋଲିଂରେ ଇଂଲଣ୍ଡ ପକ୍ଷରୁ ୮୪ ରନ ଦେଇ ୩ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସ ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍ ମିଳିଛି। ଏହା ପୂର୍ବରୁ ଇଂଲଣ୍ଡ ମଧ୍ୟ ୩୮୭ ରନରେ ଅଲଅଉଟ୍ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୧୦୪ ରନ କରିଥିଲେ। ବୋଲିଂରେ ଯଶପ୍ରୀତ ବୁମରା ୭୪ ରନ ଦେଇ ୫ ସଫଳତା ହାସଲ କରିଥିଲେ।