ନୂଆଦିଲ୍ଲୀ ୨୯।୦୭: ୱାଙ୍ଖେଡେ ଷ୍ଟାଡିୟମ କାର୍ଯ୍ୟାଳୟରେ ଚୋରି । ଏହି ଚୋରି ଟଙ୍କା ନୁହେଁ, ବରଂ IPL ଜର୍ସିର ହୋଇଛି । ଚୋରି ପଛରେ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ହାତ ଅଛି । ୱାଙ୍ଖେଡେ ଷ୍ଟାଡିୟମରେ ଥିବା BCCI କାର୍ଯ୍ୟାଳୟରୁ ୪୦ ବର୍ଷୀୟ ସୁରକ୍ଷାକର୍ମୀ IPL 2025 ଜର୍ସି ଚୋରି କରିଛନ୍ତି । ଏହି ଚୋରିରେ ଫାରୁକ ଅସଲମ ଖାନଙ୍କ ନାଁ ଆସିଛି । ଯିଏକି BCCI କାର୍ଯ୍ୟାଳୟରୁ ୨୬୧ଟି ଜର୍ସି ଚୋରି କରିଛନ୍ତି । ଗୋଟିଏ ଜର୍ସିର ମୂଲ୍ୟ ପ୍ରାୟ ୨୫୦୦ ଟଙ୍କା । ତେବେ ଏସବୁକୁ ମିଶାଇଲେ ବ୍ୟକ୍ତି ଜଣକ ପ୍ରାୟ ୨ ଲକ୍ଷ ୫୨ ହଜାର ଟଙ୍କାର ଚୋରି କରିଛନ୍ତି।
BCCI କାର୍ଯ୍ୟାଳୟରେ ଚୋରି ସମ୍ପର୍କରେ ପୋଲିସ କହିଛି ଯେ ଫାରୁକ ଖାନ ଅନଲାଇନରେ ଜୁଆ ଖେଳୁଥିଲେ । ସେ ତାଙ୍କର ଜୁଆ ନିଶା ପାଇଁ ଏହି IPL ଜର୍ସି ଚୋରି କରିଥିଲେ । ପୋଲିସ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଖାନ ସୋସିଆଲ ମିଡିଆ ଜରିଆରେ ହରିୟାଣାର ଜଣେ ଅନଲାଇନ୍ ଜର୍ସି ଡିଲରଙ୍କ ସହ ଯୋଗାଯୋଗରେ ଥିଲେ । ଯେଉଁଠାରେ ସେ ତାଙ୍କର ଚୋରି ସାମଗ୍ରୀକୁ କୁରିଅର ମାଧ୍ୟମରେ ପଠାଉଥିଲେ ।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାଳୟରେ ଚୋରି ଘଟଣା ଷ୍ଟକ୍ ଅଡିଟ୍ ସମୟରେ ଧରାପଡ଼ିଥିଲା। ବିସିସିଆଇ ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ଏବଂ ଫାରୁଖ ଖାନଙ୍କୁ ଏକ ବଡ଼ ବାକ୍ସ ସହିତ କାର୍ଯ୍ୟାଳୟରୁ ବାହାରକୁ ଯାଉଥିବାର ଦେଖିଥିଲେ । ପୋଲିସ ଏହି ମାମଲାରେ ହରିୟାଣା ଡିଲରଙ୍କୁ ମଧ୍ୟ ପଚରାଉଚରା କରିଥିଲା । ତା’ପରେ ଡିଲର କହିଥିଲେ ଯେ ସେ ଜାଣି ନଥିଲେ ଯେ ଏଗୁଡ଼ିକ ଚୋରି ସାମଗ୍ରୀ । ଡିଲର କହିଥିଲେ ଯେ ଖାନ ତାଙ୍କୁ କହିଥିଲେ ଯେ ସେ ଅଫିସ ନବୀକରଣ ସମୟରେ ଷ୍ଟକ୍ କ୍ଲିୟରାନ୍ସ ଦଳର ଅଂଶ ଥିଲେ। ଆଉ ଜର୍ସି ସେହି ସମୟର ।
ବିସିସିଆଇର ଜଣେ ଅଧିକାରୀ ୧୭ ଜୁଲାଇରେ ମାରିନ୍ ଡ୍ରାଇଭ୍ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ଏପର୍ଯ୍ୟନ୍ତ ୫୦ଟି ଜର୍ସି ଉଦ୍ଧାର କରିଛି । ଯାହାର ମୂଲ୍ୟ ପ୍ରାୟ ୧.୨୫ ଲକ୍ଷ ଟଙ୍କା। ପୋଲିସ ଫାରୁଖ ଖାନଙ୍କ ବ୍ୟାଙ୍କ ରେକର୍ଡ ମଧ୍ୟ ଖୋଜିଛି । କିନ୍ତୁ ଅଭିଯୁକ୍ତ କହିଛନ୍ତି ଯେ ସେ ଅନଲାଇନ୍ ବ୍ୟାଟିଂରେ ସମସ୍ତ ଟଙ୍କା ହରାଇଛନ୍ତି। ପୋଲିସ ଏବେ ବି ଏହି ମାମଲାର ତଦନ୍ତ କରୁଛି।