ସମୁଦ୍ରଗର୍ଭରେ ଲୀନ ହେବ ଦୁନିଆର ବଡ ବଡ ସହର, ରିପୋର୍ଟରେ ଚେତାଇଲା ବିଶ୍ୱ ପାଣିପାଗ ସଂଗଠନ...

Published By : Prameya-News7 Bureau | February 16, 2023 IST

ନୂଆଦିଲ୍ଲୀ୧୬।୦୨: ଆଉ ମାତ୍ର ୮୦ ବର୍ଷ ।  ଅର୍ଥାତ୍ ୨୧୦୦ ମସିହା ସୁଦ୍ଧା ତାଣ୍ଡବ ରଚିବ ପ୍ରକୃତି । ସମୁଦ୍ର ଗର୍ଭରେ ଲୀନ ହେବ ଅନେକ ବଡ ବଡ ସହର । ଏନେଇ ନିକଟ ଅତୀତରେ ନୂଆ ରିପୋର୍ଟ ଜାରି କରିଛନ୍ତି ବିଶ୍ୱ ପାଣିପାଗ ବିଭାଗ (WMO) । ରିପୋର୍ଟରେ କୁହାଯାଉଛି କି ଯେଉଁ ଦ୍ରୁତଗତିରେ ସମୁଦ୍ରର ଜଳସ୍ତର ବଢୁଛି, ଯଦି ସେପରି ଆଗାମୀ ଦିନରେ ଜାରି ରୁହେ ତେବେ ବଡ ବଡ ସହର ସମୁଦ୍ରରେ ମିଶିଯିବ ।

ଏହି ରିପୋର୍ଟରେ କୁହାଯାଇଛି ଯେ ମୁମ୍ବାଇ, ଢାକା, ସାଂଘାଇ, ଲଣ୍ଡନ, ନ୍ୟୁୟର୍କ ସମେତ ବିଶ୍ବର ଅନେକ ସହର ଉପରେ ବିପଦ ଘେରି ରହିଛି । ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ଲଗାତର ବୃଦ୍ଦି ପାଉଛି ସମୁଦ୍ରର ଜଳସ୍ତର । ଯାହା ପୃଥିବୀକୁ ବିନାଶ ଆଡକୁ ଟାଣି ନେଉଛି । ରିପୋର୍ଟ ଅନୁଯାୟୀ, ଯଦି ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରୁହେ, ତେବେ ଆଗାମୀ ଦୁଇ ହଜାର ବର୍ଷ ମଧ୍ୟରେ ସମୁଦ୍ର ପତ୍ତନ ୨ ରୁ ୩ ମିଟର ବୃଦ୍ଧି ପାଇବ । ଯଦିଓ ଆମେ ଗ୍ଲୋବାଲ ୱାର୍ମିଂକୁ ୨ ଡିଗ୍ରୀ ସେଲସିୟସକୁ ସୀମିତ କରିବାରେ ସଫଳ ହୋଇ, ତେବେ ସମୁଦ୍ର ୬ ମିଟର ପର୍ଯ୍ୟନ୍ତ ଉପରକୁ ଉଠିବ । ସେହିପରି ଯଦି ଗ୍ଲୋବାଲ ୱାର୍ମିଂ ୫ ଡିଗ୍ରୀ ସେଲସିୟସରେ ପହଞ୍ଚିବ, ତେବେ ୨ ହଜାର ବର୍ଷରେ ସମୁଦ୍ର ୧୯ରୁ ୨୨ ମିଟର ପର୍ଯ୍ୟନ୍ତ ଉପରକୁ ଉଠିବ ।

WMO ଅନୁଯାୟୀ, ସମୁଦ୍ରର ଜଳସ୍ତର ବୃଦ୍ଧି ପାଇଲେ କେବଳ ଛୋଟ ଦ୍ବୀପ ନୁହେଁ ଅଧିକ ପ୍ରଭାବିତ କରିବ ଜନବହୁଳ ଦେଶମାନଙ୍କରେ ।  ଏଥିପରେ ୯୦ କୋଟିରୁ ଉର୍ଦ୍ଧ୍ବ ଜନସାଧାରଣ ପ୍ରଭାବିତ ହେବେ ।  ଅର୍ଥାତ୍ ସମୁଦ୍ରର ଜଳସ୍ତର ବୃଦ୍ଧି ହେତୁ ପୃଥିବୀରେ ବାସ କରୁଥିବା ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣଙ୍କ ଜୀବନ ଅସୁବିଧାରେ ପଡ଼ିବ । ଏହି ବିପଦ କେବଳ ଗରିବ ତଥା ବିକାଶଶୀଳ ଦେଶମାନଙ୍କରେ ପ୍ରଭାବ ପକାଇବ ତାହା ନୁହେଁ ବରଂ ସମୁଦ୍ର ଉପକୂଳରେ ଅବସ୍ଥିତ ବିଶ୍ବର ପ୍ରତ୍ୟେକ ଦେଶ ଏବଂ ପ୍ରତ୍ୟେକ ସହରର ଅସ୍ତିତ୍ୱ ବିପଦରେ ପଡ଼ିବ ।

ତେବେ ରିପୋର୍ଟ ଅନୁଯାୟୀ, ବିପଦ ମୁଖରେ ରହିଛନ୍ତି ସାଂଘାଇ, ଢାକା, ବ୍ୟାଙ୍ଗକକ୍, ଜାକର୍ତ୍ତା, ମାପୁଟୋ, ଲାଗୋସ୍, କାହିରା, ଲଣ୍ଡନ୍ , କୋପେନହାଗେନ୍, ନ୍ୟୁୟର୍କ ଲସ୍ ଏଞ୍ଜେଲ୍ସ, ବ୍ୟୁନସ୍ଆୟର୍ସ,ସୈଣ୍ଟିୟାଗୀ ଓ ଭାରତର ମୁମ୍ବାଇ ପରି ବଡ ବଡ ସହର । ତେବେ ଗ୍ଲୋବାଲ ଓ୍ବାର୍ମି ପାଇଁ ତରଳୁଛି ଗ୍ଲାସିଅର୍ସ । ଯାହା ସୁମୁଦ୍ରର ଜଳସ୍ତର ବୃଦ୍ଧିର ପ୍ରମୁଖ କାରଣ ବୋଲି କହିଛନ୍ତି ବିଶେଷଜ୍ଞ । WMO ରିପୋର୍ଟରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ । ସେ ବିଶ୍ୱକୁ ମଧ୍ୟ ଦେଇଛନ୍ତି ସତର୍କ ଚେତାବନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.