ଦେଶର ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାନ୍ତାଳ ଜନଜାତିର ସୁଯୋଗ୍ୟ ପ୍ରତିନିଧି, ଏହି ସମୁଦାୟର ରହିଛି ଏକ ମହାନ ଇତିହାସ...

Published By : Prameya-News7 Bureau | July 22, 2022 IST

ନୂଆଦିଲ୍ଲୀ: ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛି ଦ୍ରୌପଦୀ ମୁର୍ମୁ ଇତିହାସ ରଚିଛନ୍ତି । ସେ ଦେଶର ୧୫ତମ ରାଷ୍ଟ୍ରପତି ହେବେ । ଏହାସହ ଦେଶର ଦ୍ୱିତୀୟ ମହିଳା ଭାବେ ଦେଶର ପ୍ରଥମ ନାଗରିକ ଏବଂ ତିନି ସେନାର ସୁପ୍ରିମ୍ କମାଣ୍ଡର ହେବାର ଗୌରବ ହାସଲ କରିଛନ୍ତି । ଦୌପଦୀ ମୁର୍ମୁ ସାନ୍ତାଳ ଜନଜାତିରୁ ଆସିଛନ୍ତି । ଏହି ଜନଜତିର ଇତିହାସ ମଧ୍ୟ ବହୁ ପୁରୁଣା । ଅନେକ ଦଶନ୍ଧିର ସଂଘର୍ଷ ପରେ ସାନ୍ତାଳ ସମୁଦାୟ ଏବଂ ଏହାର ଭାଷା ସାନ୍ତାଳୀ ଏବେ ଦେଶ ଏବଂ ଅନ୍ତର୍ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିପାରିଛି । ଦିନେ ଚାଷ ଉପରେ ନିର୍ଭର କରି ଜୀବନ ବିତାଉଥିବା ଏହି ଜନଜାତିର ଲୋକେ ଏବେ ଦେଶର ବିକାଶରେ ମଧ୍ୟ ନିଜର ଯୋଗଦାନ ଦେଉଛନ୍ତି।

ଦ୍ରୌପଦୀ ମୁର୍ମୁଙ୍କ ବ୍ୟତିତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବର୍ତ୍ତମାନର ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ, ଏବଂ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହି ଆଦିବାସୀ ଜନଜାତିରୁ ଆସି ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭାରତ ସହ ଏହି ଜନଜାତିର ଲୋକେ ନେପାଳ ଏବଂ ବାଂଲାଦେଶରେ ମଧ୍ୟ ବସବାସ କରନ୍ତି । ଏକଦା ନାମମାତ୍ର ଜନଜାତି ଥିବା ସାନ୍ତାଳ ଏବେ ଦେଶର ତୃତୀୟ ସବୁଠୁ ବଡ଼ ଆଦିବାସୀ ଜନଜାତି । ଗୋଣ୍ଡ ଏବଂ ଭିଲ୍ ପରେ ସାନ୍ତାଳ ଜନଜାତି ତୃତୀୟ ସର୍ବବୃହତ ଆଦିବାସୀ ସମୁଦାୟ । ଗତ ଦୁଇ ଦଶନ୍ଧିରେ ରାଜନୀତିରେ ମଧ୍ୟ ଏହି ଜନଜାତିର ଯୋଗଦାନ ବୃଦ୍ଧି ପାଇଛି ।

ଏକବିଂଶ ଶତାବ୍ଦୀ ଆରମ୍ଭ ସୁଦ୍ଧା ଏହି ସମ୍ପ୍ରଦାୟର ଜନସଂଖ୍ୟା ପ୍ରାୟ ୬ ନିୟୁତକୁ ବୃଦ୍ଧି ପାଇଥିଲା । ଦେଶର ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଏହି ଜନଜାତିର ଅଧିକାଂଶ ଲୋକେ ବସବାସ କରନ୍ତି । ସାନ୍ତାଳ ନାଁରେ ଅର୍ଥ ଶାନ୍ତ ଏବଂ ନିର୍ମଳ । ଏହା ଦୁଇଟି ଶବ୍ଦରେ ତିଆରି, ସନ୍ଥା ଅର୍ଥାତ ଶାନ୍ତ ଏବଂ ଅଲା ଯାହାର ଅର୍ଥ ମନୁଷ୍ୟ । ସାନ୍ତାଳ ଦକ୍ଷିଣ ଏସିଆର ମୂଲ ନିବାସୀ ମୁଣ୍ଡା ଜାତୀୟ ସମୁଦାୟରୁ ଆସନ୍ତି ।

ତେବେ ଲିଖିତ ଅଭିଲେଖାର ଅଭାବ ଯୋଗୁଁ ସାନ୍ତାଳ ସମୁଦାୟର ଉତ୍ପତିର ପ୍ରକୃତ ତାରିଖ ଅସ୍ପଷ୍ଟ ରହିଛି । ତେବେ ଏକ ବିଶ୍ୱାସ ଅନୁସାରେ ଉତ୍ତର କମ୍ୱୋଡିଆର ଚମ୍ପା ସାମ୍ରାଜ୍ୟ ସମୟରେ ଏହି ଜନଜାତି ଉତ୍ପତି ହୋଇଛି। ଅଷ୍ଟଦଶ ଶତାବ୍ଦୀର ଶେଷ ବେଳକୁ ନାମମାତ୍ର ଥିବା ଏହି ଜନଜାତି ଧରେଧରେ ଛୋଟ ନାଗପୁର ପ୍ଲାଟୁର ବିହାର, ଓଡିଶା ଏବଂ ଝାଡଖଣ୍ଡରେ ବସତି ଆରମ୍ଭ କରିଥିଲେ।

ସ୍ୱାଧୀନତା ସଂଗ୍ରାମରେ ସାନ୍ତାଳ ସମୁଦାୟର ଲୋକେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହର ଦୁଇ ବର୍ଷ ପୂର୍ବେ ୧୮୫୫ ମସିହାରେ ଏହି ସମୁଦାୟର ଲୋକେ ବିଦ୍ରୋହ କରିଥିଲେ । ୧୮୫୫-୧୮୫୬ରେ ସାନ୍ତାଳ ଜନଜାତିର ଲୋକେ ବ୍ରିଟିସ ବିରୋଧରେ ବିଦ୍ରୋହ କରିଥିଲେ । ଏହା ଭାରତର ପ୍ରଥମ ବଡ଼ ଚାଷୀ ବିଦ୍ରୋହ ଥିଲା । ସ୍ଥାୟୀ ଭୂମି ସମାଧାନର କାର୍ଯ୍ୟକାରିତାକୁ ବିରୋଧ କରି ଏହି ଆନ୍ଦୋଳନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.