ଭୁବନେଶ୍ବର ୧୩।୭: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି ବୋଲି ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି । ସେ କହିଛନ୍ତି ୭୨ କାର୍ଯ୍ୟକର୍ତ୍ତା ଘୋଷଣା ହୋଇଛନ୍ତି । କିଛି କମିଟି ଘୋଷଣା ବି ସରିଛି । ଏଇ ମାସ ଶେଷ ସୁଦ୍ଧା ତାଙ୍କ ଅନୁମୋଦନରେ ସମସ୍ତ କମିଟି ଗଠନ ସରିବ । ସେ ମୁମ୍ବାଇରେ ଥିବା ସମୟରେ ଏକ୍ସ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ରଥଯାତ୍ରା ବିଭ୍ରାଟ, ଗୋପାଳପୁର ବେଳାଭୂମିରେ ଛାତ୍ରୀ ଗଣଦୁଷ୍କର୍ମ, ରବି ଧାନ କିଣା ଅବ୍ୟବସ୍ଥା ନେଇ ସେ ସଚେତନ ବିରୋଧୀ ଦଳ ନେତା ଭାବେ ମତ ଦେଇଛନ୍ତି । ତାଙ୍କ ମାର୍ଗଦର୍ଶନରେ ହିଁ କାର୍ଯ୍ୟକ୍ରମ ଚାଲୁଛି ଓ ଚାଲୁଥିବା ବୋଲି ଦେବୀ ମିଶ୍ର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ଜୁନ ୨୦ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆଥ୍ରାଇଟିସ୍ ଅପରେସନ ପାଇଁ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଯାଇଥିଲେ । ୨୨ ତାରିଖରେ ନବୀନଙ୍କ ଅପରେସନ ହୋଇଥିଲା । ନବୀନଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ନବୀନଙ୍କ ଅସ୍ତ୍ରୋପଚରା କରିଥିଲେ । ଗତ ୭ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ନବୀନ । ଏହାପରେ ନବୀନଙ୍କ ଫିଜିଓ ଥେରାପି କରାଯାଇଥିଲା । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଭୁବନେଶ୍ବର ଫେରିଥିଲେ ନବୀନ ।
ଶନିବାର ମୁମ୍ବାଇରୁ ଫେରିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ବିଜେଡି ନେତା ଓ କର୍ମୀ । ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ଜମିଥିଲା ନେତା, କର୍ମୀ ଓ ଜନତାଙ୍କ ଭିଡ଼ । ଭୁବନେଶ୍ବର ବିମାନ ବନ୍ଦରରୁ ବାହାରିବା ପରେ ହାତଯୋଡ଼ି ଦଳୀୟ ନେତା କର୍ମୀଙ୍କ ଅଭିବାଦନ ଗ୍ରହଣ କରିଥିଲେ ନବୀନ ।
You Can Read: