ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା ଦେଶର ପ୍ରଗତି ରାଜ୍ୟ । ଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛି ଓଡିଶା । ବର୍ଷକରେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର । ଆସନ୍ତା ବର୍ଷରେ ପ୍ରତି ପରିବାରର ଜଣେ ଲକ୍ଷପତି ଦିଦି ଓ ପ୍ରତି ପଞ୍ଚାୟତରେ ଜଣେ କରୋଡ଼ପତି ଦିଦି ସୃଷ୍ଟି ହେବେ । ମୋହନ ସରକାଙ୍କ ପ୍ରଥମ ବର୍ଷର ପୂର୍ତ୍ତି ପାଳନ ଅବସରରେ ଆଜି କଟକରେ ନାରୀଶକ୍ତି ସମାବେଶକୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମୁଖ୍ୟମନ୍ତ୍ରୀ ଆହୁରି ବି କହିଛନ୍ତି ଯେ, ଏକ ବର୍ଷର ଶାସନ କାଳରେ ଆମେ ପ୍ରତିଶ୍ରୁତି ରକ୍ଷା କରିଛୁ ଏବଂ ଆସନ୍ତା ୪ ବର୍ଷ ଓଡ଼ିଶାର ମହିଳାମାନଙ୍କ ପାଇଁ ହେବ ସୁବର୍ଣ୍ଣଯୁଗ । ଯେହେତୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି ତେଣୁ ଚଳିତ ବର୍ଷ ରାଜ୍ୟର ସମସ୍ତ ସରକାରୀ ବିଭାଗ ମିଳିତ ଭାବରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ୩ ହଜାର୬୯୫ କୋଟି ଟଙ୍କାର ବ୍ୟବସାୟିକ ସୁଯୋଗ ପ୍ରଦାନ କରିଛନ୍ତି । ୩ ଲକ୍ଷରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାୟ ୩ଶହ କୋଟି ଟଙ୍କାର ସୁଧ ଫେରସ୍ତ କରାଇ ସେମାନଙ୍କର ଆର୍ଥିକ ସ୍ବପ୍ନକୁ ସାକାର କରିବାରେ ସହାୟକ ହୋଇଛୁ । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ମାଧ୍ୟମରେ ମହିଳା ଓ ପିଲାମାନଙ୍କ ସୁସ୍ଥ ଭବିଷ୍ୟତ ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରୁଛୁ । ମହିଳା ସଶକ୍ତିକରଣ ଆମ ପାଇଁ ଏକ ସ୍ଲୋଗାନ ନୁହେଁ । ଚଳିତ ବର୍ଷ ବଜେଟରେ କେବଳ ମହିଳାଙ୍କ ପାଇଁ ୮୯ ହଜାର ୮୬୧ କୋଟି ଟଙ୍କାର ପ୍ରାବଧାନ ମହିଳାଙ୍କ ପାଇଁ ଆମର ପ୍ରତିବଦ୍ଧତା । ରାଜ୍ୟର କୌଣସି ଗରିବ ବ୍ୟକ୍ତି ନିଜ ଝିଅ ବାହାଘର ଲାଗି ଆଉ ବୋଝ ମୁଣ୍ଡାଇବ ନାହିଁ । ସେମାନଙ୍କର ଦାୟିତ୍ବ ବହନ କରିବେ ରାଜ୍ୟ ସରକାର । ସେହି ଉଦ୍ୟେଶ୍ୟରେ ଖୁବଶୀଘ୍ର ଲାଗୁହେବ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନା । ସେହିଭଳି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଆଗାମୀ ବର୍ଷରେ ପ୍ରତି ପରିବାରର ଜଣେ ଲକ୍ଷପତି ଦିଦି ଓ ପ୍ରତି ପଞ୍ଚାୟତରେ ଜଣେ କରୋଡ଼ ପତି ଦିଦି ସୃଷ୍ଟି କରିବୁ।
ସେପଟେ ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିବା ଲକ୍ଷ୍ୟରେ ଯାଜପୁର ବରୁଆ ଦଶହରା ପଡିଆରେ ମହିଳା ସମାବେଶ କରିଥିଲା ବିଜେଡି । ବିଜେଡି ଅଭିଯୋଗ କରିଛି ଯେ, ମହିଳାଙ୍କୁ ସୁଯୋଗ ଓ ସମ୍ମାନ ପ୍ରଦାନରେ ସରକାର ବିଫଳ ହୋଇଛନ୍ତି । ମିଶନ ଶକ୍ତି ମାଆ ଆଜି ରାଜରାସ୍ତାରେ ନିଜ ଅଧିକାର ପାଇଁ ଲଢୁଛି । ଦୀର୍ଘ ମିଆଦି ଋଣ ବ୍ୟବସ୍ଥା ବନ୍ଦ କରାଯାଇଥିବାରୁ ନବୀନ ପଟ୍ଟନାୟକଙ୍କ ସରକାର ସମୟର ସ୍ବାବଲମ୍ବୀ ମହିଳା ଏବେ ପୁଣି ଚୁଲିମୁଣ୍ଡକୁ ଠେଲି ହୋଇଯାଇଛନ୍ତି । ଏହାର ପ୍ରତିବାଦରେ ଜନଜାଗରଣ ସମାବେଶ କରୁଛି ବିଜେଡି l