ଜଗତସିଂହପୁର ୧୦/୭: ମନର ମଣିଷକୁ ପାଇ ବେଶ ଖୁସି ଥିଲେ । କେମିତି ସଂସାର ଗାଡି ଭଲରେ ଗଡିବ ତାକୁ ନେଇ ଦେଖିଥିଲେ କେତେ ସ୍ବପ୍ନ । ହେଲେ ବିଧିର ବିଧାନ ତାଙ୍କ ପାଇଁ ଥିଲା ଭାରି ନିର୍ଦ୍ଦୟ । ବାହାଘରକୁ ମାତ୍ର ୫ ଦିନ ହୋଇନି। ପାଦରୁ ଅଳତା ଲିଭିନି । ମଥାରୁ ଲିଭିଗଲା ସିନ୍ଦୁର । ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ବାମୀଙ୍କ ଜୀବନ । କେବଳ ସ୍ବାମୀ ନୁହଁନ୍ତି ଭାଇକୁ ବି ହରାଇଲେ । ସେପଟେ ନଜଣାଇ ପୁଅ ବାହା ହୋଇଥିବାରୁ ବୋହୂକୁ ସ୍ବୀକାର କରିବାକୁ ନାରାଜ ପରିବାର ଲୋକ । ପୁଅର ମୃତ୍ୟୁ ଖବର ପାଇବା ପରେ ଦୁଃଖ ଓ ଶୋକରେ ଭାଙ୍ଗି ପଡ଼ିଛନ୍ତି ସେମାନେ। ହେଲେ ପୁଅ ବିବାହ କରିଥିବା କଥା ଜାଣି ନଥିବା କହିଛନ୍ତି । ଜଗତସିଂହପୁର ଜିଲ୍ଲା ତୁମ୍ବା ଅଣ୍ଡେଇ ସାହି ଗାଁର ଏ ଘଟଣାକୁ ନେଇ ଯେତିକି ଚର୍ଚ୍ଚା ହେଉଛି ସେତିକି ଦୁଃଖ ବି ଲାଗୁଛି ।
ନାଉଗାଁ ଥାନା ଅରଖକୂଦ ଗାଁର ପ୍ରକାଶ ଚନ୍ଦ୍ର ନାୟକଙ୍କ ପୁଅ ପ୍ରଭାସ ନାୟକ । ଆର୍ମିରେ ଚାକିରୀ କରିଥିଲେ । ଗତ ୩ ତାରିଖରେ ପ୍ରଭାସ ଚାକିରୀରୁ ଛୁଟିରେ ଆସିଥିଲେ । ଆଉ ତୁମ୍ବା ଅଣ୍ଡେଇ ସାହି ଗାଁର ଜନୈକା ଯୁବତୀଙ୍କୁ ଏକ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ଯାହା ଥିଲା ଲୁଚାଛପା । ବାହାଘର ସଂପର୍କରେ ବିନ୍ଦୁ ବିସର୍ଗ ଜାଣିନଥିଲେ ପ୍ରଭାସଙ୍କ ପରିବାର ।ବୁଧବାର ନିଜର ଶାଳକକୁ ସାଙ୍ଗରେ ନେଇ ବାଇକ ଯୋଗେ ଶ୍ବଶୂର ଘରକୁ ଫେରୁଥିବା ବେଳେ ବସନ୍ତପୁର ନିକଟରେ ତାଙ୍କ ବାଇକକୁ ଧକ୍କା ଦେଇଥିଲା ଏକ ଟାଟା ମ୍ୟାଜିକ୍ ଗାଡ଼ି । ଘଟଣାସ୍ଥଳରେ ଉଭୟ ଶଳା ଭିଣୋଇଙ୍କର ମୃତ୍ୟୁ ହୋଇଯାଇଥିଲା । ଯାହା ହାତ ଧରି ସାରା ଜୀବନ ଚାଲିବେ ଭାବିଥିଲେ ସେ ଅଧା ବାଟରେ ଛାଡି ଚାଲିଗଲେ । ସେ ଦୁଃଖଠୁ ବଳି ଯାଉଛି ଶାଶୁ ଘର ଲୋକ ଗ୍ରହଣ ନକରିବା । ଏବେ କଣ କରିବେ କୁଆଡେ ଯିବେ ତାକୁ ନେଇ ଦୋଛକିରେ କନ୍ୟା ଓ ତାଙ୍କ ପରିବାର ଲୋକ ।