ଆଇନ୍‌ ଶୃଙ୍ଖଳା କ୍ଷେତ୍ରରେ ଆଉ ଏକ ପଦକ୍ଷେପ; ୩୦ଟି ନୂଆ ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 09, 2023 IST

ଭୁବନେଶ୍ୱର ୦୯/୦୧: ଓଡ଼ିଶାରେ ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ନୂଆ ଥାନାର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ ମାଧ୍ୟମରେ ନୂଆ ଥାନାଗୁଡ଼ିକର ଉଦଘାଟନ କରିଛନ୍ତି। ଏହି ଥାନା ଗୁଡ଼ିକ ମଧ୍ୟରେ ଏୟାରପୋର୍ଟ ଥାନା, ନାଚୁଣୀ ଥାନା’, ମହାବୀର ରୋଡ଼ ଥାନା, ଗୋପାଳପୁର ଥାନା, ଗ୍ରାମାଞ୍ଚଳ ଥାନା (ବରଗଡ଼) ସହିତ ଅନ୍ୟ ଥାନାଗୁଡ଼ିକ ସାମିଲ ରହିଛି।

ଖବର ଅନୂସାରେ ଝାରସୁଗୁଡ଼ାରେ ତେଲପାଟିଆ ଅଞ୍ଚଳରେ ଏୟାର୍‌ ପୋର୍ଟ ଥାନା ଉଦଘାଟିତ ହୋଇଛି। ଝାରସୁଗଡ଼ାରେ ନୂତନ ଏୟାର୍‌ ପୋର୍ଟ ହେଲାପରେ ତାଲପଟିଆ ଫାଣ୍ଡିକୁ ଏୟାରପୋର୍ଟ ଥାନା ଭାବେ ରୂପାନ୍ତରଣ କରାଯାଇଥିବା ଜଣାପଡ଼ିଛି। ଏହି ଏୟାରପୋର୍ଟ ଥାନା ଅଧୀନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂଆ ବସଷ୍ଟାଣ୍ଡ, ବିମାନବନ୍ଦର, ଓଏସଏପି ଅଞ୍ଚଳ, ତାଲପଟିଆ, ଦୁର୍ଲଗା, ଆଇଓସିଅଲ ତୈଳ ଡ଼ିପୋ ଇତ୍ୟାଦି ଅଞ୍ଚଳ ସାମିଲ୍‌ ରହିଛି l

ସେହିପରି ନାଚୁଣୀ ଫାଣ୍ଡିକୁ ଥାନା ମାନ୍ୟତା ଦିଆଯାଇଛି। ପୂର୍ବରୁ ଏହି ଫାଣ୍ଡିକୁ ବାଣପୁର ଥାନା ଅଧୀନରେ ଥିଲା। ସୋମଠାରୁ ଏହା ସ୍ୱତନ୍ତ୍ର ଥାନାର ମାନ୍ୟତା ପାଇଛି। ଏଠାରେ ନୂତନ ଆଇଆଇସି ଭାବେ ଚନ୍ଦ୍ରଶେଖର ଜେନା ଯୋଗ ଦେଇଛନ୍ତି। ଏହି ଥାନା ଅଧୀନରେ ଗମ୍ଭାରୀମୁଣ୍ଡା ବିଟ ହାଉସ, ବାଣପୁର ବ୍ଲକର ଛଅଟି ପଞ୍ଚାୟତ ଯଥା ନାଚୁଣୀ, ମୋରାମୋରି, ଗମ୍ଭାରୀମୁଣ୍ଡା, ଦେଓଗାଁ, ଆୟତ୍ତପୁର, କୁଲେଇ ଏବଂ ଚିଲିକା ବ୍ଲକର ଚାରିଟି ପଞ୍ଚାୟତ ଯଥା କୁମାଣ୍ଡଳ ପାଟଣା, ହରିପୁର, ବଉଳାବନ୍ଧ ଏବଂ ନଈରୀ ରହିଥିବା ଜଣାପଡ଼ିଛି।

ଅନୁରୂପ ଭାବେ ମହାବୀର ରୋଡ୍‌ ଫାଣ୍ଡିକୁ ମଧ୍ୟ ଥାନାର ମାନ୍ୟତା ମିଳିଛି।  ଏହା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନରେ ଥିଲା। ଏହି ଫାଣ୍ଡିକୁ ଥାନାକର ମାନ୍ୟତା ଦେବାକୁ ବହୁ ଦିନରୁ ଦାବି ହେଉଥିଲା। ଉଦଘାଟନ ପରେ ନୂଆ ଥାନା ଅଞ୍ଚଳର ଲୋକମାନେ ଖୁସି ଥିବା ଜଣାପଡ଼ିଛି, ସେହି ଥାନା ଅଂଚଳର ୯ ଟି ପଂଚାୟତର ଲୋକଙ୍କ ବିଭିନ୍ନ ସମସ୍ୟା ପାଇଁ  ପୂର୍ବରୁ ପରଜଙ୍ଗ ଥାନାକୁ ଯିବାକୁ ଫଡୁଥିଲା।  କିନ୍ତୁ ଏବେଠାରୁ ହାତ ପାହାନ୍ତାରେ ଲୋକମାନେ ଉତ୍ତମ ପୋଲିସ ସେବା ପାଇବେ ବୋଲି ଉଦଘାଟନି ଉତ୍ସବରେ ଅତିଥିମାନେ କହିଛନ୍ତି।

ଅନ୍ୟପଟେ ବାଲେଶ୍ୱର ଜିଲ୍ଲାରେ ଥିବା ଗୋପାଳପୁର ଫାଣ୍ଡିକୁ ମଧ୍ୟ ନୂଆ ଥାନା ଭାବେ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ଉଦଘାଟନି ଉତ୍ସବରେ ସୋର ବିଧାୟକ ପର୍ଶୁରାମ  ଧଡ଼ା, ରେମୁଣା ବିଧାୟକ ସୁଧାଂଶୁ ଶେଖର ବେହେରା, ଆଇଜି ହିମାଂଶୁ ଲାଲ, ବାଲେଶ୍ୱର ଏସପି ସାଗରୀକା ନାଥ  ଉପସ୍ଥିତ ଥିଲେ। ନୂଆ ଥାନା ହେବା ଫଳରେ ଆଗାମୀ ଦିନରେ ଅଞ୍ଚଳରେ ବିଭିନ୍ନ ଚୋରାମଦ, ଚୋରି, ଡକାୟତିକୁ କାବୁ କରିବାରେ ସଫଳ ହେବେ ବୋଲି ଏସପି ସାଗରିକା କହିଛନ୍ତି।   

ସେପଟେ ବରଗଡ଼ ଉପକଣ୍ଠ ବରାହଗୋଡ଼ାରେ ମଧ୍ୟ ନୂତନ ଭାବେ ଗ୍ରାମାଞ୍ଚଳ ଥାନା ଉଦଘାଟିତ ହୋଇଛି। ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଆରମ୍ଭ ହୋଇଥିବା ଏହି ଥାନା ଅଧୀନରେ ନଅଟି ଗ୍ରାମପଞ୍ଚାୟତ ଏବଂ ଷୋହଳଟି ଗାଁ ରହିଛି। ଏହି ଅଞ୍ଚଳର ଲୋକମାନେ ନ୍ୟାୟ ତଥା ସୁରକ୍ଷା ପାଇଁ ବରଗଡ଼ ଟାଉନଥାନା ଉପରେ ନିର୍ଭର କରିବା ସହ ସେମାନଙ୍କୁ ଦୂର ବାଟ ଯିବାକୁ ପଡୁଥିଲା। ଏବେ ଏହି ଥାନା ହେବାରୁ ଚୋରି, ଡକାୟତି, ନିଶା କାରବାର ଉପରେ ରୋକ ଲାଗିବା ସହ ଆଇନ ଶୃଙ୍ଖଳା ରକ୍ଷା ହୋଇପାରିବ ବୋଲି ଆଶା ସ୍ଥାନୀୟ ଲୋକମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.