ନୂଆଦିଲ୍ଲୀ ୨୮।୧୦: ଗତ କିଛି ଦିନ ହେବ ଚାପରେ ରହିଥିଲା ଭାରତୀୟ ସେୟାର ବଜାର। ହେଲେ ଗୁରୁବାର ଏହା ଆହୁରି ନିମ୍ନଗାମୀ ହୋଇଛି। ସେନସେକ୍ସରେ ଗତ ୬ ମାସରେ ସବୁଠୁ ବଡ ହ୍ରାସ ଦେଖିବାକୁ ମିଳିଛି। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସଇ)ର ସେନସେକ୍ସ ଗୁରୁବାର ୧୧୫୮ ଅଙ୍କ ହ୍ରାସ ସହିତ ୫୯,୯୮୪ ପଏଣ୍ଟରେ ବନ୍ଦ ହୋଇଛି।
ଗୁରୁବାର ସକାଳେ ହ୍ରାସ ସହିତ ବଜାର ଖୋଲିଥିଲା ଏବଂ ଦିନ ଗଡିବା ସହ ସେୟାର ମାର୍କେଟ୍ ଆହୁରି ନିମ୍ନଗାମୀ ହେବାରେ ଲାଗିଥିଲା। କାରବାର ଶେଷରେ ନିଫଟି ୩୫୩ ପଏଣ୍ଟ ତଳକୁ ଖସି ୧୭,୮୫୭ରେ ବନ୍ଦ ରହିଛି। ଏହାର ଛଅ ମାସ ପୂର୍ବରୁ ସେନସେକ୍ସ ୧୭୦୦ ଅଙ୍କ ତଳକୁ ଖସିଥିଲା। ଆଜିର ସେୟାର ମାର୍କେଟ୍ ହ୍ରାସ ହେବାରୁ ନିବେଶକଙ୍କୁ ଜୋରଦାର ଝଟକା ଲାଗିଛି। କେବଳ ଗୁରୁବାର ସେୟାର ବଜାରରେ ନିବେଶକଙ୍କ ୪.୮୦ ଲକ୍ଷ କୋଟି ଟଙ୍କା ବୁଡି ଯାଇଛି।।
ଏହି ହ୍ରାସରେ ସବୁଠୁ ଅଧିକ କ୍ଷତିରେ ପଡିଛନ୍ତି ସରକାରୀ କମ୍ପାନୀ। ନିମ୍ନଗାମୀ ହୋଇଥିବା ସେୟାର ମଧ୍ୟରେ ସବୁଠୁ ଅଧିକ ୮ ପ୍ରତିଶତ ହ୍ରାସ ଅଡାନୀ ଗ୍ରୁପର ହୋଇଛି। ସେହି ପରି ଆଇଟିସିର ସେୟାରରେ ୫.୬୦ ପ୍ରତିଶତ, ରିଲାଏନ୍ସ ସେୟାରରେ ୧.୨୬ ପ୍ରତିଶତ ଏବଂ ଟିସିଏସ ସେୟାରରେ ୧.୮୫ ପ୍ରତିଶତ ତଳକୁ ଖସି କାରବାର ବନ୍ଦ ହୋଇଛି। ଯଦି ବ୍ୟାଙ୍କ କ୍ଷେତ୍ର ଉପରେ ନଜର ପକାଇବା ତେବେ ଏକ୍ସିସ ବ୍ୟାଙ୍କ ୩.୭୫ ପ୍ରତିଶତ, କୋଟାକ ବ୍ୟାଙ୍କ ୪.୦୫ ପ୍ରତିଶତ, ଏସବିଆଇ ୩.୪୨ ପ୍ରତିଶତ ଏବଂ ଆଇସିଆଇସିଆଇ ବ୍ୟାଙ୍କ ୪.୩୯ ପ୍ରତିଶତ ହ୍ରାସ ଘଟିଛି।