କଲେଜ ଗୃହର ଭୂମିପୂଜନକୁ ନେଇ ଉତ୍ତେଜନା, ଗୋଚର ଦାବିରେ ଗ୍ରାମବାସୀଙ୍କ ବିରୋଧ
19/09/2023 at 4:20 PM

ଢେଙ୍କାନାଳ ୧୯।୯: ଢେଙ୍କାନାଳ ସହରର ବନମାଳୀ ପ୍ରସାଦ ଗ୍ରାମ ନିକଟରେ ପ୍ରସ୍ତାବିତ ସାନ୍ଧ୍ୟ ମହାବିଦ୍ୟାଳୟକୁ ଜମି ପ୍ରଦାନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏପରିକି ସାନ୍ଧ୍ୟ ମହାବିଦ୍ୟାଳୟର ନୂତନ ବିଲ୍ଡିଂ ପାଇଁ ଭୂମି ପୂଜନ ଉତ୍ସବରେ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି କରିଛି । ସ୍ଥାନୀୟ ବନମାଳୀ ପ୍ରସାଦ ଗ୍ରାମବାସୀ ଗୋଚର ଜମି ପ୍ରଦାନ ଦାବିରେ ଭୂମି ପୂଜନ ସ୍ଥାନରେ ତୀବ୍ର ବିରୋଧ କରିଥିଲେ । ଆନ୍ଦୋଳନକାରୀ ଗ୍ରାମବାସୀ ପ୍ଲାକାର୍ଡ ଧରି ଉକ୍ତ ସ୍ଥାନରେ ବସି ରହିଥିଲେ । ଉକ୍ତ ସ୍ଥାନରେ ସେମାନଙ୍କ ଗାଈ ଗୋରୁ ଚରୁଥିବାରୁ ଗୋଚର ଦାବି କରିଥିଲେ ଗ୍ରାମବାସୀ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।
ଗ୍ରାମବାସୀଙ୍କ କହିବା ମୁତାବକ ସାନ୍ଧ୍ୟ ମହାବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଏକର ସ୍ଥାନ ପ୍ରଦାନ କରାଯାଇଛି । ମାତ୍ର ଉକ୍ତ କଲେଜ ପକ୍ଷରୁ ବିଭିନ୍ନ ଆଳ ଦେଖାଇ ବେଆଇନ ଭାବେ ୭ ଏକର ସ୍ଥାନ ଦାଖଲ କରାଯାଉଛି । ଫଳରେ ସ୍ଥାନୀୟ ବନମାଳୀ ପ୍ରସାଦ ଗ୍ରାମର ଗୋରୁ-ଗାଈ ଓ ଛେଳି-ମେଣ୍ଢା ଏହି ସ୍ଥାନରେ ଚରା ବୁଲା କରନ୍ତି । ଏବେ ସ୍ଥାନ ଜବରଦଖଲ ଯୋଗୁଁ ଗାଈ ଗୋରୁ ଚାରିବାକୁ ସ୍ଥାନ ନାହିଁ । ବରଂ ଉକ୍ତ ଗୋଚର ସ୍ଥାନକୁ ଆମେ ଛାଡ଼ିବୁ ନାହିଁ ବୋଲି ଦାବିରେ ଅଡି ବସିଥିଲେ । ଟାଉନ ଥାନା ପୋଲିସ ବୁଝାସୁଝା କରି ବିଫଳ ହୋଇଥିଲେ । ତେବେ ଭୂମି ପୂଜନ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଜିଲ୍ଲାପାଳ ସରୋଜ ସେଠୀ ଓ ବିଧାୟକ ସୁଧୀର ସାମଲ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରି ଏମାନଙ୍କୁ ଗୋଚର ସ୍ଥାନ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଉତ୍ତ୍ୟକ୍ତ ଲୋକେ ଆନ୍ଦୋଳନରୁ ଓହରିବା ପରେ ସାନ୍ଧ୍ୟ ମହାବିଦ୍ୟାଳୟର ଭୂମି ପୂଜନ ଉତ୍ସବ ହୋଇଥିଲା ।
You Can Read :