ବିଜେପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ଜବାବ, ହାତ ବାଡ଼େଇ କହିଲେ ଅପପ୍ରଚାର କାମ ଦେବନି

Published By : Prameya-News7 Bureau | May 28, 2024 IST

ଭୁବନେଶ୍ଵର: ଓଡ଼ିଶାରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚରମରେ ପହଞ୍ଚିଛି। ଏହି ସମୟରେ ଆଜି ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓକୁ ଟୁଇଟ୍ କରି ଓଡ଼ିଶାର ରାଜନୀତି ତାତିର ପାରାକୁ ଆହୁରି ବଢାଇ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା। ତାଙ୍କ ସହ ବିଜେପି ନେତାମାନେ ମଧ୍ୟ ଉକ୍ତ ଭିଡିଓକୁ ଆଧାର କରି ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ଆଉ ସେ ସବୁର କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଏକ ଭିଡିଓ ଜାରି କରି ନବୀନ ପଟ୍ଟନାୟକ ଟେବୁଲରେ  ହାତ ବାଡ଼େଇ ବିଜେପିକୁ ଜବାବ ଦେଇ କହିଛନ୍ତି ଯେ, ବିଜେପି ଯଉଟା ପ୍ରସଙ୍ଗ ନୁହେଁ ତାକୁ ଅଯଥା ପ୍ରସଙ୍ଗ କରୁଛି। ଏବେ ମୋର ହାତକୁ ନେଇ ଅପପ୍ରଚାର କରୁଛି। ବିଜେପିର ଏହି ଅପପ୍ରଚାର କାମ ଦେବନି ବୋଲି ନବୀନ କହିଛନ୍ତି।  ସୂଚନାଯୋଗ୍ୟ, ନବୀନଙ୍କ ଏହି ଭିଡ଼ିଓ ସଂପ୍ରତି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। 

ହିମନ୍ତ ବିଶ୍ଵଶର୍ମା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଭିଡିଓ | ଏଥିରେ ଶ୍ରୀ ଭି.କେ ପାଣ୍ଡିଆନ୍ ଜୀ ଶ୍ରୀ ନବୀନ ବାବୁଙ୍କ ହାତର ଗତିକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। ତାମିଲନାଡୁର ଜଣେ ଅବସରପ୍ରାପ୍ତ ପୂର୍ବତନ ଅମଲାତନ୍ତ୍ରୀ ବର୍ତ୍ତମାନ ଓଡିଶାର ଭବିଷ୍ୟତ ଉପରେ କିପରି ନିୟନ୍ତ୍ରଣ କରୁଛନ୍ତି, ତାହା କଳ୍ପନା କରି ମୁଁ ହତଚକିତ ହୋଇ ଯାଉଛି! ଏହି ଭିଡିଓକୁ କେବଳ ହିମନ୍ତ ବିଶ୍ୱଶର୍ମା ନୁହନ୍ତି, ବିଜେପି ମିଡିଆ ସେଲ୍‌ର ମୁଖ୍ୟ ଅମିତ ମାଲବ୍ୟୟଙ୍କ ସମେତ ବିଜେପିର ଅନେକ କେନ୍ଦ୍ରୀୟ ନେତା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। 



  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.