୧୦ ଲକ୍ଷ ଚାକିରୀ ପରେ ଅବସର ବୟସକୁ ନେଇ ବଡ ଘୋଷଣା କଲେ ତେଜସ୍ୱି ଯାଦବ

Published By : Prameya-News7 Bureau | November 01, 2020 IST

ପାଟନା ୦୧/୧୧ : ବିହାରରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ଦଳ ନେତା ତଥା ରାଷ୍ଟ୍ରୀୟ ଜନତା ଦଳର ଷ୍ଟାର ପ୍ରଚାରକ ତେଜସ୍ୱି ଯାଦବ ବର୍ତ୍ତମାନ କର୍ମଚାରୀଙ୍କ ଅବସରକୁ ନେଇ ବଡ ଘୋଷଣା କରିଛନ୍ତି। ନିର୍ବାଚନୀ ବର୍ଷରେ ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଦେବାକୁ ଘୋଷଣା କରିଥିବା ତେଜସ୍ୱି ଯାଦବ କହିଛନ୍ତି ଯେ ଯଦି ରାଜ୍ୟରେ ତାଙ୍କ ସରକାର ଆସେ ତାହେଲେ ୫୦ ବର୍ଷ ବୟସରେ ଅବସର ବୟସ ସମାପ୍ତ କରିଦେବେ।

ପାଟନାରେ ତେଜସ୍ୱି ଯାଦବ ବିଜେପି ଓ ନୀତିଶ କୁମାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ନୀତିଶ କୁମାର ଓ ବିଜେପି ସରକାର ସରକାରୀ କର୍ମଚାରୀଙ୍କୁ ୫୦ ବର୍ଷରେ ଅବସର ଦେବାକୁ ନିର୍ଦେଶ ଜାରି କରିଛନ୍ତି। କିନ୍ତୁ ନିଜକୁ ୭୦ ବର୍ଷରୁ ଅଧିକ ହେଲାଣି। ତେଜସ୍ୱି କହିଛନ୍ତି, ଯଦି ତାଙ୍କ ସରକାର ଆସେ ତାହେଲେ ୫୦ ବର୍ଷ ବୟସରେ ଅବସର ନିଷ୍ପତ୍ତି ସମାପ୍ତ କରିଦେବେ। ଏହାସହ ତେଜସ୍ୱି ନୀତିଶ କୁମାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ ବିହାରରେ ବେକାର ଯୁବକ ଯୁବତୀଙ୍କୁ ଚାକିରୀ ଦେବାକୁ କାହିଁକି କିଛି କହୁନାହାନ୍ତି।

ତେଜସ୍ୱି କହିଛନ୍ତି, ଆଜି ବିହାରରେ ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ଓ ନର୍ସ ନାହାନ୍ତି। ଶିକ୍ଷାକୁ ନୀତିଶ କୁମାର ସରକାର ଭାଙ୍ଗି ଦେଲେଣି। ବିହାରରେ ବର୍ତ୍ତମାନ ୩ ବର୍ଷରେ ସ୍ନାତକ କାହିଁକି ପୁରା ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ତେଜସ୍ୱି ଯାଦବ ବର୍ତ୍ତମାନ ପ୍ରତ୍ୟେକ ମଞ୍ଚରେ ବେକାରୀ ପ୍ରସଙ୍ଗ ଉଠାଉଛନ୍ତି। ପ୍ରତ୍ୟେକ ସଭାରେ ସେ ଏହି ପ୍ରସଙ୍ଗ ଦୋହରାଉଚନ୍ତି।

ସୂଚନାଯୋଗ୍ୟ ଯେ, ବିହାରରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଅର୍ଥାତ ନଭେମ୍ବର ୩ ତାରିଖରେ ହେବ। ଅନ୍ତିମ ପର୍ଯ୍ୟାୟ ମତଦାନ ନଭେମ୍ବର ୭ ତାରିଖରେ ହେବ। ବିଧାନସଭା ନିର୍ବାଚନ ଫଳାଫଳ ନଭେମ୍ବର ୧୦ ତାରିଖରେ ଆସିବ। ନିର୍ବାଚନ ପାଇଁ ସବୁ ଦଳ ଜୋରଦାର ପ୍ରଚାର କରୁଛନ୍ତି। ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ବିହାରରେ ୪ଟି ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.