ଓଡ଼ିଶା ଡ୍ରାଇଭର ମହାସଂଘ ସହ ଆଲୋଚନା ସଫଳ ହୋଇଛି: ପରିବହନ ମନ୍ତ୍ରୀ

Published By : Prameya-News7 Bureau | July 11, 2025 IST

ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ କରୁଥିବାବେଳେ। ଆନ୍ଦୋଳନ ଯୋଗୁ ଠପ୍ ହୋଇପଡ଼ିଛି ଯାତ୍ରୀ ପରିବହନ। ଅବଶ୍ୟ ଶୁକ୍ରବାର ସନ୍ଧ୍ୟାରେ ଆନ୍ଦୋଳନରୁ ଓହରିଛି ଘରୋଇ ବସ୍ ମାଲିକ ସଂଘ। 

ତେବେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି ଆଲୋଚନା ସଫଳ ହୋଇଛି। ସମସ୍ତ ଦାବି ସମାଧାନ କରାଯିବା ନେଇ ସରକାର ଡ୍ରାଇଭର ମହାସଂଘକୁ ପ୍ରତିଶ୍ରୁତି ଦେଇସାରିଛନ୍ତି । ସଫଳ ଆଲୋଚନା ପରେ ମଧ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଲୋଚନା ପରେ ମଧ୍ୟ କାହିଁକି ଆନ୍ଦୋଳନ କରୁଛନ୍ତି ଆଶ୍ଚର୍ଯ୍ୟ ଲାଗୁଛି ବୋଲି କହିଛନ୍ତି ମନ୍ତ୍ରୀ। ଏହା ସହ ଆନ୍ଦୋଳନରୁ ଓହରି ଯାଆନ୍ତୁ ବୋଲି ମନ୍ତ୍ରୀ ନିବେଦନ କରିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ସମସ୍ୟା ଆଉ ନାହିଁ। ୪୦୦ରୁ ଉର୍ଦ୍ଧ୍ବ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଛି। ୩୫ରୁ ଉର୍ଦ୍ଧ୍ବ ଡ୍ରାଇଭର ସଂଘ ପରିବହନ ବିଭାଗ ସହ ରହିଛନ୍ତି। ଆନ୍ଦୋଳନକାରୀ ଡ୍ରାଇଭର ମାନେ ଯେଉଁ ଗାଡ଼ି ଚାଳକଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଡ୍ରାଇଭରମାନେ ଆନ୍ଦୋଳନ ନାମରେ ଜନସାଧାରଣଙ୍କୁ ହଇରାଣ କରିବା ସରକାର ଗ୍ରହଣ କରିବେ ନାହିଁ। କଂଗ୍ରେସ ଡ୍ରାଇଭରଙ୍କୁ ନେଇ ରାଜନୀତି କରୁଛନ୍ତି। ପ୍ରତି ୧୦୦ କିଲୋମିଟର ଦୂରରେ ଡ୍ରାଇଭର ମାନଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ପାଇଁ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.