ଆଫଗାନିସ୍ତାନ ଟିଭିରେ IPLକୁ ବ୍ୟାନ୍‌ କଲା ତାଲିବାନ : ପ୍ରସାରଣ କଲେ ଭୟଙ୍କର ଦଣ୍ଡ, ଜାଣନ୍ତୁ କଣ ରହିଛି କାରଣ…

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦/୦୯ : ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍‌ ରବିବାର ଠାରୁ ୟୁଏଇରେ ଆରମ୍ଭ ହୋଇଯାଇଛି । ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା । ଫଟାଫଟ୍‌ ଆଇପିଏଲକୁ ବିଶ୍ବବ୍ୟାପୀ ପ୍ରଶଂସକ ଦେଖୁଥିବା ବେଳେ ଏଭଳି ଏକ ଦେଶ ରହିଛି ଯେଉଁଠି ଆଇପିଏଲକୁ ଘୋର ବିରୋଧ କରିବା ସହିତ ଟିଭିରେ ପ୍ରସାରଣ ବ୍ୟାନ୍‌ କରିଦିଆଯାଇଛି ।

ଆଫଗାନିସ୍ତାନର ନୂଆ ତାଲିବାନ ସରକାର ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣକୁ ଉପରେ ରୋକ୍‌ ଲଗାଇଛି । ତାଲିବାନୀ ହୁକୁମ୍‌ ଏମିତି ଯେ, ଆଫଗାନିସ୍ତାନର କୌଣସି ଟିଭି ଚ୍ୟାନେଲରେ ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (IPL) ପ୍ରସାରିତ ହୋଇପାରିବ ନାହିଁ । ଏ ନେଇ ସେଠାକାର ଟିଭି ଚ୍ୟାନେଲମାନଙ୍କୁ କଡା ନିର୍ଦେଶ ଦେଇଛି ତାଲିବାନ । ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଲିବାନ ପକ୍ଷରୁ ସୂଚନା ଦିଆଯାଇଛି ।

ତାଲିବାନ, ଆଇପିଏଲକୁ ଇସଲାମ୍ ବିରୋଧୀ ବୋଲି କହିଛି । ଏଥିପାଇଁ ବିରୋଧ କରୁଛି ଯେ, ଆଇପିଏଲରେ ଚିୟରଗାର୍ଲ ନୃତ୍ୟ ପରିବେଷଣ କରୁଛନ୍ତି ଯାହାକୁକି ତାଲିବାନ ଘୋର ବିରୋଧ କରୁଛି । ତାଲିବାନ ଏହାକୁ ଇସଲାମ ବିରୋଧୀ ବୋଲି ବିବେଚନା କରେ ଏବଂ ଆଫଗାନିସ୍ତାନରେ କୌଣସି ଭୁଲ ବାର୍ତ୍ତା ବିସ୍ତାର କରିବାକୁ ଚାହେଁ ନାହିଁ। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ମିଡିଆ ମ୍ୟାନେଜର ଇବ୍ରାହିମ ମୋମାଣ୍ଡ ଏ ନେଇ ଟ୍ୱିଟକରି କହିଛନ୍ତି । ସେ କହିଛନ୍ତି ଯେ, ‘ଆଫଗାନିସ୍ତାନରେ ଆଇପିଏଲ ଉପରେ ପ୍ରତିବନ୍ଧକ ଲଗାଯାଇଛି କାରଣ ଏଥିରେ ଇସଲାମ ବିରୋଧୀ କାର୍ଯ୍ୟକଳାପ ରହିଛି । ଏଥିରେ ଚିୟରଗାର୍ଲମାନେ ନାଚନ୍ତି ଏବଂ ମହିଳାମାନେ ବୁର୍ଖା ପିନ୍ଧନ୍ତି ନାହିଁ ଯାହାକୁ କି ଇସଲାମ ଗ୍ରହଣ କରେ ନାହିଁ ।’

ଆଇପିଏଲରେ ବର୍ତ୍ତମାନ ଆଫଗାନିସ୍ତାନର ଖେଳାଳୀମାନେ ମଧ୍ୟ ଖେଳୁଛନ୍ତି । ରାସିଦ ଖାନ ଏବଂ ମହମ୍ମଦ ନବୀଙ୍କ ଭଳି ଷ୍ଟାର ଖେଳାଳି IPLରେ ଅଂଶଗ୍ରହଣ କରୁଛନ୍ତି । ତାଲିବାନ ଆଫଗାନିସ୍ତାନ ଉପ​‌ରେ କବ୍‌ଜା କରିବା ପୂର୍ବରୁ ହିଁ ଉଭୟ ଖେଳାଳି ଦେଶ ବାହାରେ ରହିଛନ୍ତି । ଏବେ ଉଭୟ ସନରାଇଜର୍ସ ହାଇଦରାବାଦ ପକ୍ଷରୁ ଖେଳୁଛନ୍ତି ଏବଂ ୟୁଏଇରେ ଅଛନ୍ତି । ଆଫଗାନିସ୍ତାନରେ ବର୍ତ୍ତମାନ ମହିଳା କ୍ରିକେଟ୍‌ ଟିମ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.