ମୁମ୍ବାଇ: ଆଇପିଏଲ୍ ୨୦୨୫ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳାଯାଉଛି। ସିଜିନର ୬୩ତ ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୧୮୦ ରନ କରି ପାରିଛି। ସୂର୍ଯ୍ୟକୁମାର ଯାଦବ ୭୩ ରନର ଚିତ୍ତାକର୍ଷକ ଇନିଂସ ଖେଳିଥିବା ବେଳେ ନମନ ଧୀର ୨୪ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ରୋହିତ ଶର୍ମା ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବିଫଳ ହୋଇଛନ୍ତି। ମ୍ୟାଚ୍ ଜିତି ପ୍ଲେ ଅଫ୍ ଦୌଡ଼ରେ ତିଷ୍ଠିବାକୁ ହେଲେ ଦିଲ୍ଲୀ ସମ୍ମୁଖରେ ୧୮୧ ରନର ବିଜୟ ଲକ୍ଷ୍ୟ ରହିଛି। କାରଣ ଆଜିର ମ୍ୟାଚ୍ ମୁମ୍ବାଇ ଜିତିଲେ ଦଳ ପ୍ଲେ ଅଫ୍ରେ ପ୍ରବେଶ କରିବ। ତେବେ ଶେଷ ଦୁଇ ଓଭରର ବ୍ୟାଟିଂ ହିଁ ମୁମ୍ବାଇକୁ ଏହି ସ୍କୋରରେ ପହଞ୍ଚାଇ ପାରିଛି।
ମୁମ୍ବାଇର ଆରମ୍ଭ ନିରାଶଜନକ ଥିଲା। ରୋହିତ ଶର୍ମା(୫) ପୁଣି ନିରାଶ କରିଛନ୍ତି। ଓ୍ଵିଲ ଜ୍ୟାକ୍ସ ୨୧ ରନ କରିଥିଲେ ହେଁ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ରିୟାଲ ରିକଲଟନ ୨୫ ରନ କରି ଆଉଟ୍ ହୋଇଛନ୍ତି। ମୁମ୍ବାଇ ଓ୍ଵିକେଟ୍ ହରାଇ ନ ଥିଲେ ବି ଦିଲ୍ଲୀ ବୋଲର ମାପଚୁପ ବୋଲିଂ କରି ମୁମ୍ବାଇ ବ୍ୟାଟରଙ୍କୁ ବଡ଼ ସଟ୍ ଖେଳିବାକୁ ଦେଇ ନ ଥିଲେ। ତେବେ ସୂର୍ଯ୍ୟକୁମାର ଓ ତିଲକ ବର୍ମା ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ବ୍ୟାଟର ସତର୍କତାର ସହ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ ପାଇଁ ୫୫ ରନ ଯୋଡ଼ି ଦଳର ସ୍କୋରକୁ ୧୧୩ ରନରେ ପହଞ୍ଚାଇଥିଲେ।
ତେବେ ତିଳକ ବର୍ମା ୨୭ ବଲରୁ ୨୭ ରନ ଆଉଟ୍ ହୋଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୫ ରନ କରିଥିଲେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକୀୟ ଇନିଂସ ଖେଳି ଗୋଟିଏ ପଟେ ମୋର୍ଚ୍ଚା ସମ୍ଭାଳିଥିଲେ। ତେବେ ଶେଷ ଦୁଇ ଓଭରରେ ସୂର୍ଯ୍ୟ ଓ ନମନ ଧୀର ବିସ୍ଫୋରକ ବ୍ୟାଟିଂ କରି ୪୮ ରନ ସଂଗ୍ରହ କରିଥିଲେ। ୧୯ତମ ଓଭରରେ ୨୭ ରନ ଓ ୨୦ତମ ଓଭରରେ ୨୧ ରନ କରି ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୧୮୦ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି।