ବିରାଟ କୋହଲି ଏବଂ ବାବର ଆଜମଙ୍କୁ ପଛରେ ପକାଇ ଦେବେ ସୂର୍ଯ୍ୟକୁମାର ଯାଦବ: ପୂର୍ବତନ ପାକିସ୍ତାନ କ୍ରିକେଟ୍‌ର

Published By : Prameya-News7 Bureau | September 27, 2022 IST

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଏବଂ ପାକିସ୍ତାନର ଷ୍ଟାର ବ୍ୟାଟସମ୍ୟାନ ବାବର ଆଜମଙ୍କୁ ପଛରେ ପକାଇବେ ସୂର୍ଯ୍ୟକୁମାର ଯାଦବ। ଏହି ଷ୍ଟାଇଲିସ୍ ବ୍ୟାଟସମ୍ୟାନଙ୍କ ପ୍ରଶଂସା କରି ଏମିତି କହିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ଦାନିଶ କାନେରିଆ। ସୀମିତ ଓଭର କ୍ରିକେଟ୍‌ରେ ସବୁଠୁ ମହାନ ବ୍ୟାଟସମ୍ୟାନଙ୍କ ହେବାର ଗୁଣ ସୂର୍ଯ୍ୟକୁମାର ଯାଦଙ୍କ ନିକଟରେ ରହିଛି। ସଂପ୍ରତି ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ସେ ଜଣେ ଯିଏ ନିଜର ୩୬୦ ଡିଗ୍ରୀରେ ବ୍ୟାଟିଂ କରିବାର କ୍ଷମତା ଯୋଗୁଁ ସଭିଙ୍କଠୁ ଆଗରେ ଅଛନ୍ତି।

କାନେରିଆ ଏପରି ଟିପ୍ପଣୀ ଏଥିପାଇଁ ଦେଇଛନ୍ତି କାରଣ ଅନେକ ମାସରୁ ସୂର୍ଯ୍ୟକୁମାର ଯାଦବ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ପାଲଟିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠୁ ଛୋଟ ଫର୍ମାଟ୍‌ରେ ନିଜ ଦେଶ ପାଇଁ ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି। ସୂର୍ଯ୍ୟକୁମାର ଯାଦବ ବାବର ଆଜମଙ୍କୁ ପଛରେ ପକାଇ ସାରିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ୭୮୦ ପଏଣ୍ଟ ସହ ତୃତୀୟରେ ଅଛନ୍ତି। ଏହା ପୂର୍ବରୁ ଆଜମ ଦୀର୍ଘ ସମୟ ଧରି ଶୀର୍ଷରେ ଥିଲେ। ସେ ଏବେ ଚତୁର୍ଥ ସ୍ଥାନରେ ଅଛନ୍ତି।

ଦାନିଶ କାନେରିଆ  ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ କହିଛନ୍ତି, ମୁଁ ଦୀର୍ଘ ସମୟରୁ କହି ଆସିଛି ଯେ, ସୂର୍ଯ୍ୟକୁମାର ଯାଦବ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ। ନିଜର ୩୬୦ ଡିଗ୍ରୀ ବ୍ୟାଟିଂ ଶୈଳୀ ଯୋଗୁଁ ସେ ବହୁତ ଆଗକୁ ଯିବେ। ସେ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ଦେଖିଲେ ଲାଗୁଛି ନିଜର ପରିଚୟ ସ୍ଥାପନ କରିବାକୁ ଉଦ୍ୟମ କରୁଛନ୍ତି। ତାଙ୍କ ନିକଟରେ ଖେଳିବାର ଏକ ଭିନ୍ନ ଦକ୍ଷତା ରହିଛି। ନିଶ୍ଚିତ ରୂପେ ସେ ଦିନକୁ ଦିନ ବଡ ଖେଳାଳି ହୋଇ ଚାଲିଛନ୍ତି। ସେ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ସେଥିରେ ସେ ଦର୍ଶକଙ୍କୁ ସମସ୍ତ ମହାନ ବ୍ୟାଟସମ୍ୟାନଙ୍କୁ ଭୁଲିବାକୁ ବାଧ୍ୟ କରି ଦେବେ। କୋହଲି ସମସ୍ତଙ୍କଠୁ ଅଧିକ ରନ କରିବେ ଏବଂ ବାବର ଆଜମ ବହୁତ ସଫଳ ହେବେ। କିନ୍ତୁ ସୂର୍ଯ୍ୟକୁମାର ଯାଦବ ନିଜ ବ୍ୟାଟିଂ ପ୍ରତିଭାରେ ସଭିଙ୍କୁ ପଛରେ ପକାଇ ଦେବେ ବୋଲି ଦାନିଶ କାନେରିଆ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.