EWSଙ୍କ ପାଇଁ ଜାରି ରହିବ ସଂରକ୍ଷଣ, ସମ୍ୱିଧାନ ପୀଠ ନିଷ୍ପତ୍ତି ବିରୋଧରେ ଦାଖଲ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Published By : Prameya-News7 Bureau | May 16, 2023 IST

ନୂଆଦିଲ୍ଲୀ: ଦେଶରେ ଶିକ୍ଷା ଏବଂ ସରକାରୀ ଚାକିରିରେ ଆର୍ଥିକ ରୂପେ ଦୁର୍ବଳ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଜାରି ରହିବ । ସୁପ୍ରିମକୋର୍ଟ ୧୦୩ତମ ସମ୍ୱିଧାନ ସଂଶୋଧନକୁ ଆଇନସମ୍ମିତ ଜଣାଇଥିବା ସାମ୍ୱିଧାନ ପୀଠର ନିଷ୍ପତ୍ତି ବିରୋଧରେ ଦାଖଲ ଯାଚିକାକୁ ଖାରଜ କରିଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଦିନେଶ ମାହେଶ୍ୱରୀ, ଜଷ୍ଟିସ୍ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ୍ ବେଲା ଏମ ତ୍ରିବେଦୀ ଏବଂ ଜେବି ପାଦରୀବାଲାଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଏହି ରାୟ ଦେଇଛନ୍ତି ।

ସୁପ୍ରିମକୋର୍ଟ ଗତ ବର୍ଷ ନଭେମ୍ୱରରେ ଆର୍ଥିକ ରୂପେ ଦୁର୍ବଳ ବର୍ଗଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣର ସାମ୍ୱିଧାନିକ ବୈଧତାକୁ ବଜାୟ ରଖିଥିଲେ । ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ସମ୍ୱିଧାନ ପୀଠ ବହୁମତ ସହ ରାୟ ଶୁଣାଇଥିଲେ । ଏଥିରେ କୁହାଯାଇଥିଲା ଯେ ଏହା ସମ୍ୱିଧାନର ମୂଳ ଅବଧାରଣାର ଉଲ୍ଲଂଘନ କରୁ ନାହିଁ ।

ଉଲ୍ଲେଖଯୋଗ୍ୟ, ଜଷ୍ଟିସ ୟୁୟୁ ଲଲିତ ଅବସର ନେଇସାରିଛନ୍ତି, ଏହି କାରଣରୁ ଖଣ୍ଡପୀଠର ନେତୃତ୍ୱ ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ କରୁଛନ୍ତି । ଏହା ପୂର୍ବରୁ ସୁପ୍ରିମକୋର୍ଟ ଇଡବ୍ଲୁଏସ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ୩-୨ ବହୁମତରେ କାଏମ ରଖିଥିଲେ । କୋର୍ଟ କହିଥିଲେ ଏହି ସଂରକ୍ଷଣ ଭେଦଭାବପୂର୍ଣ୍ଣ ନୁହେଁ ଏବଂ ଏହା ସମ୍ୱିଧାନର ବେସିକ୍ ଷ୍ଟ୍ରକ୍ଚରର ଉଲ୍ଲଂଘନ କରୁ ନାହିଁ ।

ଜଷ୍ଟିସ୍ ମହେଶ୍ୱରୀ, ଜଷ୍ଟିସ୍ ତ୍ରିବେଦୀ ଏବଂ ଜଷ୍ଟିସ୍ ପାଦରୀବାଲା ଯୁକ୍ତି ରଖିଥିଲେ ଯେ ସଂରକ୍ଷଣ ପାଇଁ ୫୦ ପ୍ରତିଶତର ଯେଉଁ ସୀମା ରହିଛି, ତାକୁ ଡେଇଁବା ବିସେକ୍ ଷ୍ଟ୍ରକ୍ଚର ଉଲ୍ଲଂଘନ ବୋଲି କୁହାଯାଇ ପାରିବ ନାହିଁ । ଜଷ୍ଟିସ୍ କହିଥିଲେ ଯେ ସଂରକ୍ଷଣ ପାଇଁ ୫୦ ପ୍ରତିଶତର ଯେଉଁ ସୀମା ରହିଛି, ତାହା ଫିକ୍ସ ନୁହେଁ । ଉଲ୍ଲେଖଯୋଗ୍ୟ ମଣ୍ଡଳ ଜଜମେଣ୍ଟ ଅର୍ଥାତ୍ ଇନ୍ଦିରା ସାହନୀ ସହ ଜଡିତ ମାମଲାରେ ସୁପ୍ରିମକୋର୍ଟଙ୍କ ସାମ୍ୱିଧାନିକ ପୀଠ କହିଥିଲେ ଯେ ସଂରକ୍ଷଣ ପାଇଁ ୫୦ ପ୍ରତିଶତର ସୀମା ରହିଛି ଏବଂ ଏହାକୁ ଆତିକ୍ରମ ନ କରାଯିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.