ମା' କୋଳରେ ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଚାହୁଁଥିଲା କ୍ୟାନସର ପୀଡିତ : ଜାମିନ ଖାରଜ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | June 08, 2019 IST

ଜୟପୁର ୮/୬ : ରାଜସ୍ଥାନ ଜେଲରେ କଏଦ ଥିବା ଜଣେ ପୀଡିତଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ୪୨ ବର୍ଷ ବୟସ୍କ କଏଦୀ ଆଶୁ ଯୈଫ ମୁଖ କର୍କଟ ରୋଗରେ ପୀଡିତ ଅଛି । ସେ ନିଜ ମାଙ୍କ କୋଳରେ ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଚାହୁଁଛି । ଏଥିପାଇଁ ସେ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଆବେଦନରେ କୁହାଯାଇଥିଲା ଯେ, ମାମଲାର ଶୁଣାଣି ପାଇଁ ଏବେ ବହୁତ ଦିନ ବାକି ଅଛି । ଏତେ ଦିନ ଭିତରେ କଏଦୀଙ୍କ ମୃତ୍ୟୁ ହୋଇଯାଇଥିବ । ସେଥିପାଇଁ ତାଙ୍କୁ ଜାମିନ ଦିଆଯାଉ ।

ଗୁରୁବାର ଦିନ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ଏବେ ଆଶୁ ଯୈଫକୁ ଜେଲରେ ହିଁ ରହିବାକୁ ପଡିବ । ନକଲି ନୋଟ କାରବାରରେ ଆଶୁ ଜୟପୁର ଜେଲରେ ସଯା କାଟୁଛି । ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ବେଞ୍ଚ ଏହି ଆବେଦନ ଉପରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଜୁନ ୫ ତାରିଖ ସୁଦ୍ଧା ଜବାବ ମାଗିଥିଲେ ।  

ଆଶୁ ନିକଟରୁ ୨୩ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଥିଲା । ଗତବର୍ଷ ରାଜସ୍ଥାନ ହାଇକୋର୍ଟ ଆଶୁ ଯୈଫର ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଦେଇଥିଲେ । ହାଇକୋର୍ଟଙ୍କ ନିର୍ଦେଶ ବିରୋଧରେ ଆଶୁ ସୁପ୍ରିମକୋର୍ଟରେ ଅପିଲ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.