ଆନ୍ଦୋଳନକାରୀ ଆଇନଜୀବୀଙ୍କ ଉପରେ ସୁପ୍ରିମକୋର୍ଟ ବିରକ୍ତ, କାମରେ ଯୋଗ ନ ଦେବା ଯାଏଁ ଲାଇସେନ୍ସ ସସପେଣ୍ଡ ପାଇଁ ବିସିଆଇକୁ କହିଲେ

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଲୀ୨୮/୧୧: ଆନ୍ଦୋଳନକାରୀ ଓକିଲ ଏବଂ ବାର୍ ଆସୋସିଏସନ କର୍ମକର୍ତ୍ତାଙ୍କ ଆନ୍ଦୋଳନ ମନୋଭାବକୁ ରୋକ୍‌ଠୋକ୍ ଭାବେ ନାପସନ୍ଦ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆନ୍ଦୋଳନକାରୀ ଆଇନଜୀବୀଙ୍କ ଲାଇସେନ୍ସ ସସପେଣ୍ଡ କରିବା ପାଇଁ ଭାରତୀୟ ବାର୍ କାଉନସିଲ୍‌ଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ଆନ୍ଦୋଳନ ସପକ୍ଷବାଦୀ ବାର୍ ଆସୋସିଏସନ୍ କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି ।

ଓଡ଼ିଶାରେ ଆନ୍ଦୋଳନକାରୀ ଓକିଲଙ୍କ କାର୍ଯ୍ୟଧାରା ନେଇ କ୍ଷୋଭ ବ୍ୟକ୍ତ କରିବା ସହ ସୁପ୍ରିମକୋର୍ଟ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ(ବିସିଆଇ) କୁ ସ୍ପଷ୍ଟ ଭାବେ କହିଛନ୍ତି, ଅଦାଲତ ଗୁଡିକରେ ଶହେ ପ୍ରତିଶତ କାର୍ଯ୍ୟ ଆରମ୍ଭ ହେବା ଆବଶ୍ୟକ । ସମ୍ୱଲପୁରରେ ହାଇକୋର୍ଟଙ୍କ ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଦୀର୍ଘଦିନ ଧରି ଦାବି ସହ ଓକିଲଙ୍କ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଉପରୋକ୍ତ ମତ ରଖିଛନ୍ତି ।

ବିଚାରପତି ସଂଜୟ କିଷନ କାଉଲ୍ ଓ ବିଚାରପତି ଅଭୟ ଏସ୍, ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୋମବାର ଆଇନଜୀବୀଙ୍କ ଆନ୍ଦୋଳନ ସଂପର୍କୀତ ମାମଲାର ଶୁଣାଣି ହୋଇଥିଲା । ଖଣ୍ଡପୀଠ ମାମଲାର ଶୁମାଣି କରି କହିଛନ୍ତି, ଓଡ଼ିଶାର ପଶ୍ଚିମାଞ୍ଚଳରେ ଅର୍ଥାତ୍ ସମ୍ୱଲପୁରରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିବା ଆଇନଜୀବୀଙ୍କ ଲାଇସେନ୍ସକୁ ବିସିଆଇ ସସ୍‌ପେଣ୍ଡ କରିବେ ବୋଲି ଆମେ ଚାହୁଁଛୁ ।

ଏହାସହ ଆନ୍ଦୋଳନରେ ସମ୍ପୃକ୍ତ ଜିଲ୍ଲା ବାର ଆସୋସିଏସନ କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ବିସିଆଇକୁ ସୁପାରିସ କରିଛୁ ବୋଲି ମଧ୍ୟ ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ।

ଆନ୍ଦୋଳନକାରୀ ଓକିଲମାନଙ୍କୁ ପୂର୍ବରୁ ସର୍ବୋଚ୍ଚ ଅଦାଲତ ଚେତାଇଥିବା ବେଳେ ସୋମବାର ଦୁଇଜଣିଆ ଖଣ୍ଡପୀଠ ଅଧିକ କଠୋର ମନୋଭାବ ପୋଷଣ କରିଛନ୍ତି । ବିଚାରପତି କାଉଲ ଆନ୍ଦୋଳନକାରୀ ଆଇନଜୀବୀଙ୍କ ଉଦ୍ଦେଶ୍ୟରେ କ୍ଷୋଭର ସହ କହିଛନ୍ତି, 'ଆମେ ଏହା ନିଶ୍ଚିତ କରିବୁ ଯେ, ଆପଣମାନେ ସ୍ୱଭାବିକ ଭାବେ ଅଦାଲତ କାର୍ଯ୍ୟ ନକରିବା ପର୍ଯ୍ୟନ୍ତ ସମସ୍ତ ପରିଣାମ ଭୋଗିବେ । ଶତ ପ୍ରତିଶତ ଭାବେ କାର୍ଯ୍ୟ କରିବାକୁ ହେବ, ଆଉ ଅନ୍ୟ କିଛି ବିକଳ୍ପ ନାହିଁ '। ଏହାସହ ବାର ଆସୋସିଏସନ ଗୁଡିକୁ ମଧ୍ୟ କଡ଼ାକଡ଼ି ଭାବେ ଶୁଣାଇଛନ୍ତି ବିଚାରପତି କାଉଲ। 'ଆମେ ବିଭିନ୍ନ ସମୟରେ ଅନେକ ବାର ଆସୋସିଏସନ ଗୁଡିକୁ ସାବଧାନ କରାଇ ସାରିଛୁ ଏହିକି, ଏକ ମହାନ ବୃତ୍ତିର ସଦସ୍ୟଭାବେ ଯଦି ସେମାନେ ସେମାନଙ୍କ କାର୍ଯ୍ୟ କରିବାରେ ବିଫଳ ହେବେ, ତେବେ ସେମାନେ କୌଣସି ପ୍ରକାର ସୁରକ୍ଷାକୁ ହରାଇବେ । ତେଣୁ ସେମାନେ ଆଇନର ଗରିମା ଅକ୍ଷୁର୍ଣ୍ଣ କରିବା ସହ ଆଦାଲକଙ୍କ କାର୍ଯ୍ୟକୁ ସ୍ୱଭାବିକ କରିବାକୁ ଆମେ ସବୁ କିଛି ଆବଶ୍ୟକ'। ଓଡିଶା ବାର ଆସୋସିଏସନ ମାନେ ଏହି ପଦକ୍ଷେପକୁ ଗ୍ରହଣ କରିବେ ବୋଲି ଆଶା କରିଛନ୍ତି ସୁପ୍ରିମକୋର୍ଟ।

ଜିଲ୍ଲା ଅଦାଲତ ଗୁଡିକରେ ଆଇନଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ଅଦାଲତ । ଏଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସକୁ କଡା ପଦକ୍ଷେପ ନେବାକୁ କହିଛନ୍ତି । ବିଚାର ବିଭାଗୀୟ ଅଧିକାରୀ ଏବଂ ଅଦାଲତି ପ୍ରକ୍ରିୟାରେ ସାମିଲ ଅଧିକାରୀ, ଆଇନଜୀବୀ, ସାଧାରଣ ଜନତା ଏପରିକି ନିଜ ମାମଲାରେ ନିଜ ପକ୍ଷ ରଖିବାକୁ ଚାହୁଁଥିବା ଲୋକଙ୍କୁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଯୋଗାଇବା ଆଶା ରଖିଛନ୍ତି ସୁପ୍ରିମକୋର୍ଟ ।

ଆୟତନ ଦୃଷ୍ଟିରୁ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିର ଯଥାର୍ଥତା ତଥା ଆବଶ୍ୟକତା ନେଇ ଜାଣିବାକୁ ଚାହିଁବା ସହ ସେଭଳି କେଉଁ ରାଜ୍ୟରେ (ଆୟତନ ଦୃଷ୍ଟିରୁ) ଏପରି ବ୍ୟବସ୍ଥା ଅଛି କି ନାହିଁ  ସେନେଇ ଅନୁଧ୍ୟାନ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଆନ୍ଦୋଳନକାରୀ ଆଇନଜୀବୀଙ୍କୁ ଗତ ୧୪ ତାରିଖ ଶୁଣାଣି ବେଳେ କଡ଼ାକଡ଼ି ଭାବେ ଚେତାଇଥିଲେ ସୁପ୍ରିମକୋର୍ଟ ।

ଆଇନବ୍ୟବସ୍ଥାରେ ସାଧାରଣ ଲୋକଟି ନ୍ୟାୟ ପାଇବା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରକ୍ରିୟାରେ ସମ୍ପୃକ୍ତ ସମସ୍ତ ବୃତ୍ତିଧାରୀମାନେ ଏହି ମୌଳିକ ଦିଗ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । ତେବେ ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ତ୍ୱେ ଆନ୍ଦୋଳନକାରୀ ଓକିଲମାନେ ଆନ୍ଦୋଳନରୁ ଓହରି ନଥିବାରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ୱର ୧୨କୁ ଧାର୍ଯ୍ୟ କରାଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.