ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ବସ୍ତି, ହାଇକୋର୍ଟ ଯିବାକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | February 28, 2023 IST

ନୂଆଦିଲ୍ଲୀ, ୨୮/୦୨: ମନୀଷ ସିସୋଦିଆଙ୍କୁ ଝଟକା। ମଦ ଘୋଟାଲା ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ବସ୍ତି ମିଳିନାହିଁ। ମଙ୍ଗଳବାର ସିସୋଦିଆଙ୍କ ଜାମିନ୍‌ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଏଲ ନରସୀମାଙ୍କ ଖଣ୍ଡପୀଠ ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିଓ୍ବାଇ କହିଛନ୍ତି ‘ଆପଣ ସିଧା ସୁପ୍ରିମକୋର୍ଟ କାହିଁକି ଆସିଛନ୍ତି ? ଆପଣଙ୍କ ପାଖରେ ଅନେକ ବିକଳ୍ପ ଥିଲା। ଜାମିନ୍ ପାଇଁ ଆପଣ ଦିଲ୍ଲୀ ହାଇକୋର୍ଟ ଯାଇପାରିଥାନ୍ତେ।’ ଶୁଣାଣି ସମୟରେ ମନୀଷ ସିସୋଦିଆଙ୍କ ପକ୍ଷ ରଖି ଓକିଲ ଅଭିଷେକ ମନ୍ତୁ ସିଂହବୀ କହିଛନ୍ତି ଯେ ‘ଏହି ଗିରଫଦାରୀ ଅବୈଧ। ଏଥିରେ ନିୟମ ଉଲ୍ଲଘଂନ କରାଯାଇଛି। ଏହା ରାଜନୀତିକ ଷଡ଼ଯନ୍ତ୍ର।’

ସେହିପରି ଜଷ୍ଟିସ୍‌ ଏଲ, ନରସୀମା କଡ଼ା ଟିପ୍ପଣୀ କରି କହିଛନ୍ତି ଯେ ‘କୌଣସି ମାମଲା ଦିଲ୍ଲୀରେ ଘଟିଛି ବୋଲି ଆମେ ହସ୍ତକ୍ଷେପ କରିପାରିବୁ ତାହା ନୁହେଁ । ଏମିତି କୌଣସି ମାମଲା ସିଧା ସୁପ୍ରିମକୋର୍ଟ ଆସିପାରିବନାହିଁ। ଯଦି ଆମେ ଏଭଳି ଏହି ମାମଲାକୁ ଶୁଣାଣି କରୁଛୁ ତେବେ ଏହା ସୁସ୍ଥ ପରମ୍ପରା ହେବ ନାହିଁ।’

‌ସୂଚନାଯୋଗ୍ୟ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଦ ଘୋଟାଲା ମାମଲାରେ ରବିବାର ଗିରଫ କରିଥିଲା ସିବିଆଇ। ଦୀର୍ଘ ୮ ଘଣ୍ଟାର ପଚରା ଉଚରା ପରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା। ତେବେ ରବିବାର ପଚରାଉଚରା ପୂର୍ବରୁ ମନୀଷ ସିସୋଦିଆ ଆଶଙ୍କା କରିଥିଲେ ଯେ ତାଙ୍କୁ ଗିରଫ କରାଯାଇପାରେ।

ଏହାରି ମଧ୍ୟରେ ମିଳିଥିବା ସୂଚନା ଅନୁଯାୟୀ, ଆମ ଆଦମୀ ପାର୍ଟୀ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଯିବା ପାଇଁ ନିଷ୍ପତ୍ତି ନେଇଥିବା ନେଇ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.