ନୂଆଦିଲ୍ଲୀ,୧୨/୦୮: ଚାଇନା ଓ ତାଇଓ୍ୱାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । କେତେବେଳେ ବି ଉଭୟ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇପାରେ । ତାଇଓ୍ୱାନ ସୀମାରେ ଡ୍ରାଗନ୍ ଲଗାତର ସମରାଭ୍ୟାସ କରୁଛି । ଏହାସହ ନିଜ ବାୟୁସେନାକୁ ସଶକ୍ତ କରୁଛି । ଡ୍ରାଗନ୍ ବାୟୁସେନାର ସବୁଠୁ ବଡ ଶକ୍ତି ଭାବେ ଉଭା ହୋଇଛି ଋଷିଆ ନିର୍ମିତ ସୁଖୋଇ ସୁ-୩୫ ଯୁଦ୍ଧବିମାନ । ସେପଟେ ତାଇଓ୍ୱାନ ମଧ୍ୟ ଚୀନକୁ କାଉଣ୍ଟର ଦେବାକୁ ଆମେରିକୀୟ ଏଫ-୧୬କୁ ସଜାଗ ରଖିଛି । ସୂତ୍ରାନୁସାରେ, ତାଇଓ୍ୱାନ ନିକଟରେ ଏଫ-୧୬ରେ ନିଜ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ଏହାର ପାଇଲଟ୍ ସୁ-୩୫ ବାବଦରେ ଅଜ୍ଞ ଥିଲେ । ତେବେ ସୁ-୩୫ ପାଇଲଟ୍ ଏହା ଶତ୍ରୁର ଯୁଦ୍ଧବିମାନ ଦେଖି ତୁରନ୍ତ ଆକ୍ସନ ମୋଡକୁ ଆସିଯାଇଥିଲେ ।
ସୁ ୩୫ରେ ଥିବା ପାଇଲଟ୍ ଏକ ସ୍ୱତନ୍ତ୍ର ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିଥାନ୍ତି । ଯେପରି ସେମାନେ ଏଫ-୧୬ ରାଡାରରେ ଧରା ପଡିବ ନାହିଁ । ସୁ-୩୫ ହେଉଛି ବର୍ତ୍ତମାନ ସମୟର ସବୁଠୁ ଶକ୍ତିଶାଳୀ ଯୁଦ୍ଧବିମାନ । ଏହା ଶତ୍ରୁର ରାଡାରରେ ସହଜରେ ଧରା ପଡେନାହିଁ । ଚାଇନା ପାଖରେ ଏବେ ୨୪ଟି ସୁ-୩୫ ଅଛି । ଯାହାକୁ ସେ ନିକଟରେ ଋଷିଆକୁ କ୍ରୟ କରିଥିଲା । କିଛି ଦିନ ହେଲା ଡ୍ରାଗନ ନିଜର ସବୁ ସୁ-୩୫କୁ ତାଇଓ୍ୱାନ ସୀମାରେ ନିୟୋଜିତ କରିଛି । ଯାହା ତାଇଓ୍ୱାନ ପାଇଁ ସବୁଠୁ ବିପଦ ବୋଲି କୁହାଯାଉଛି ।
ଶକ୍ତିଶାଳୀ ଫାଇଟର୍ ଜେଟ୍ ସୁ-୩୫
ଯୁଦ୍ଧବିମାନ ଉପରେ ନଜର ରଖିଥିବା ବିଶେଷଜ୍ଞ ଗିରିଶ ଲିଙ୍ଗାନା କହିଛନ୍ତି ଯେ, ସୁ-୩୫ ଏ ପ୍ଲସ୍ ପ୍ଲସ୍ ଜେନେରେସନର ଫାଇଟର ଜେଟ୍ । ଯାହାକୁ ଚୀନ ବ୍ୟବହାର କରୁଛି । ତାଇଓ୍ୱାନ ଏଫ-୧୫ ବ୍ୟବହାର କରୁଛି । ସୁ-35ରେ ଏପରି କିଛି ଫିଚର୍ସ ରହିଛି ଯାହା ଏଫ-୧୬ରେ ନାହିଁ । ଆମେରିକୀୟ ଯୁଦ୍ଧବିମାନ ସହଜରେ ରାଡାରରେ ଧରାପଡିଯିବାର ସମ୍ଭବାନା ରହିଛି । କିନ୍ତୁ ସୁ-୩୫ ଆରାମରେ ଶତ୍ରୁପକ୍ଷର ରାଡାରରୁ ଖସିଯାଇପାରିବ ।
ସେ ଆହୁରି କହିଛନ୍ତି ଯେ, କାଗଜପତ୍ରରେ ଉଭୟ ଯୁଦ୍ଧ ବିମାନ ପାଖାପାଖି ସମାନ ଥିଲେ ବି ପ୍ରକୃତରେ ସୁ-୩୫ ଅଧିକ ଉନ୍ନତ । ମୁହାଁମୁହିଁ ୟୁଦ୍ଧରେ ଏଫ-୧୬ ସୁ-୩୫ରୁ ମାତ୍ ଦେବା ସମ୍ଭବପର ନୁହେଁ । ସୁ-୩୫ ଶତ୍ରୁପକ୍ଷର ତଥ୍ୟ ହାସଲ କରିବାରେ ମାହିର । ଯାହାକୁ ଡାଉନଲୋଡ୍ ମଧ୍ୟ କରାଯାଇପାରିବ । ଏଥିରେ ଶକ୍ତିଶାଳୀ ଜାମର୍ ରହିଛି । ଅନ୍ୟ ମିସାଇଲ ସିଷ୍ଟମରେ ବି ଏହା ଧରାପଡିବ ନାହିଁ ବୋଲି ସେ କହିଛନ୍ତି ।