ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି, ଶ୍ରୀମନ୍ଦିରରେ କଡ଼ା ଚେକିଂ ନେଇ ପ୍ରକ୍ରିୟା ଆରମ୍ଭ ହେବ

Published By : Prameya-News7 Bureau | August 05, 2025 IST

ଭୁବନେଶ୍ବର ୫।୮: ଶ୍ରୀମନ୍ଦିରରୁ ହିଡେନ୍ କ୍ୟାମେରା ଧରାପଡ଼ିବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏ ବାବଦରେ ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି । କେମିତି କଡ଼ା ଚେକିଂ ହେବ ସେନେଇ ପ୍ରକ୍ରିୟା ଆରମ୍ଭ ହେବ । ଏହାସହ ଯେଉଁମାନେ ଚଞ୍ଚକତା କରି ଶ୍ରୀମନ୍ଦିର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ଉପରେ ଦଣ୍ଡବିଧାନ କରାଯିବ । ଯେହେତୁ ଚଷମାରେ ହିଡେନ୍ କ୍ୟାମେରା ଆସୁଛି । ତେଣୁ ଲୋକମାନେ ଯେତେବେଳେ ସିଂହଦ୍ୱାର କିମ୍ବା ଅନ୍ୟ ଦ୍ଵାରରେ ପ୍ରବେଶ କରୁଛନ୍ତି ପୋଲିସ ଜାଣିବା ବି କଷ୍ଟ ହେଉଛି । କେବଳ ଫଟୋ ଉଠାଇବା ସମୟରେ ଲାଇଟ୍ ଜଳିଲେ ଜାଣିହେବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ଗତ ୧୦ ଦିନ ଭିତରେ ହିଡେନ୍ କ୍ୟାମେରା ଶ୍ରୀମନ୍ଦିର ଭିତରକୁ ଯିବା ନେଇ ପୋଲିସର ଚିନ୍ତା ବଢ଼ାଇଛି । ଗତ ୨୯ ତାରିଖରେ ପୁରୀର ଜଣେ ଯୁବକ ନିଜ ଚଷମାରେ ହିଡେନ୍ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିବା ବେଳେ ଜଣେ ଜେଟିପି ତାଙ୍କୁ ଧରି ସିଂହଦ୍ଵାର ଥାନାରେ ଜିମା ଦେଇଥିଲା । ତେବେ ସୋମବାର ଗୁଜୁରାଟର ଜଣେ ବ୍ୟକ୍ତି ସମାନ ଢଙ୍ଗରେ ପୁଣି ଶ୍ରୀମନ୍ଦିର ଭିତରକୁ ହିଡେନ୍‌ କ୍ୟାମେରା ନେବା ବେଳେ ପୋଲିସ ମାନେ କିର୍ତ୍ତନ ଚକଡା ଠାରେ ତାଙ୍କୁ ଧରିଥିଲେ । ସିଂହଦ୍ଵାର ଥାନା ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । 

ସେହିପରି ମଙ୍ଗଳବାର ସକାଳୁ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ପଶ୍ଚିମଦ୍ଵାର ଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଥିଲେ । ଘଟଣାକୁ ନେଇ ସିଂହଦ୍ଵାର ଥାନା ପୋଲିସ ତଦନ୍ତ କରୁଛି । ସେପଟେ ବାରମ୍ବାର ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ଯିବା ନେଇ ଚିନ୍ତାରେ ସେବାୟତ ଓ ଭକ୍ତ । ଶ୍ରୀମନ୍ଦିର ବାହାରେ ଓ ଭିତରେ କଡ଼ା ସୁରକ୍ଷା ସତ୍ତ୍ୱେ ଏହି ବ୍ୟକ୍ତି ମାନେ ଶ୍ରୀମନ୍ଦିର ଭିତରକୁ କିଭଳି ହିଡେନ୍ କ୍ୟାମେରା ନେବାକୁ ସାହାସ କରୁଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ସେବାୟତ। 

You Can Read:

ହୋଟେଲ ଭିତରେ ବାଡଗ୍ରାହୀଙ୍କ ପୁଅଙ୍କ ଦାଦାଗିରି, ସୁରକ୍ଷାକର୍ମୀ ଓ ହୋଟେଲ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.