ବୌଦ୍ଧ ୨୦/୦୬: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁରି ଗ୍ରାମରେ ଆଶ୍ଚର୍ଯ୍ୟଜନକ ଘଟଣା । ଗ୍ରାମର ପୋଖରୀ ଭିତରୁ ବାହାରୁଛି ଅଜବ ଶବ୍ଦ । ମେସିନ ଚାଲିବା ଶବ୍ଦ ସହ ଘୁ ଘୁ ଗର୍ଜନ ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ। ଗୁରୁବାର ବିଳମ୍ବିତ ରାତିରୁ ଅନବରତ ଭାବେ ବାହାରୁଛି ଶବ୍ଦ । ସେପଟେ ଭୟଙ୍କର ଶବ୍ଦକୁ ନେଇ ଭୟର ବାତାବରଣ ଖେଳିଯାଇଛି ।
ସୂଚନା ଥାଉକି, ଭୟଙ୍କର ଶବ୍ଦ ପରେ ଭୟରେ ଥରହର ଗାଁ ଲୋକେ । ଏ ପ୍ରସଙ୍ଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କୁସଙ୍ଗ ପଞ୍ଚାୟତର ସଙ୍କୁରୀ ଗ୍ରାମ ସ୍ଥିତ ମୋହନ ସାହିର ପୋଖରୀ ମଧ୍ୟରୁ ବିଳମ୍ବିତ ରାତିରେ ଏକ ଅଜବ ଶବ୍ଦ ବାହାରୁଥିବା ଗ୍ରାମବାସୀ ଶୁଣିବାକୁ ପାଇଥିଲେ । ତେବେ ଏହା ପାଣିର ଶବ୍ଦ ବୋଲି ଲୋକେ ଗୁରୁତ୍ଵ ଦେଇନଥିଲେ । କିନ୍ତୁ ଶୁକ୍ରବାର ସକାଳେ ମଧ୍ୟ ସେହି ଅଞ୍ଚଳରୁ ସମାନ ଭାବେ ଶବ୍ଦ ବାହାରୁଥିବା ବେଳେ ଏପରି ଶବ୍ଦକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସେପଟେ ବର୍ତ୍ତମାନ ସମୟରେ ପୋଖରୀ ମଧ୍ୟରେ ମାତ୍ର ଏକ ଫୁଟ ଉଚ୍ଚରେ ପାଣି ଥିବା ବେଳେ ଅନାବନା ଗଛରେ ପୋଖରୀଟି ପରିପୂର୍ଣ୍ଣ ରହିଛି । ଏଭଳି ଏକ ଘଟଣା ଦେଖିବାପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଛି । ଏ ଦିଗରେ ପୁଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।