ଶ୍ଵଶୁର ଘର ଗାଁରେ ଜ୍ୱାଇଁର ଆତ୍ମହତ୍ୟା ! ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | June 17, 2025 IST

ଭଦ୍ରକ: ଶ୍ଵଶୁର ଘର ଗାଁରେ ଜ୍ୱାଇଁର ଆତ୍ମହତ୍ୟା। ବେକରେ ରଶି ଲଗାଇ ଝୁଲି ପଡ଼ିଲା ଜ୍ବାଇଁ। ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆମ୍ବରୋଲି ପଞ୍ଚାୟତର ତଳାଙ୍ଗ ଗାଁରେ। ମୃତକ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ପଟୁଣିଆ ପଂଚାୟତ ଜେମାଦେଇପୁର ଗାଁର ସଞ୍ଜୟ କୁମାର ବଳଙ୍କ ପୁଅ ସଂଗ୍ରାମ ବଳ। ସେପଟେ ସଂଗ୍ରାମଙ୍କ ପରିବାର ଲୋକେ କିନ୍ତୁ ଆଣିଛନ୍ତି ହତ୍ୟା ଅଭିଯୋଗ । ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

ସୂଚନା ଅନୁଯାୟୀ, ସଂଗ୍ରାମ ତିନି ମାସ ତଳେ ତଳାଙ୍ଗ ଗାଁର ଚିତ୍ରସେନ ନାୟକଙ୍କ ଝିଅ ଯଶୋଦା ନାୟକଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଯଶୋଦାଙ୍କ ପରିବାର ଲୋକେ ସଂଗ୍ରାମଙ୍କ ଘରେ ପହଞ୍ଚି ନିଜ ଝିଅକୁ ଲୁଚାଇ ନେଇ ପଳାଇ ଆସିଥିଲେ। ପରେ ନିଜ ସ୍ତ୍ରୀକୁ ନେବାକୁ ଆସି ଭଦ୍ରକରେ ପହଞ୍ଚିଥିଲେ ସଂଗ୍ରାମ। ମାତ୍ର ଯଶୋଦା ନାଫେରିବାରୁ ନିଜ ସ୍ତ୍ରୀକୁ ବୁଝାଇ ସୁଝାଇ ନେବାକୁ ଗତ ଦେଢ଼ ମାସ ହେବ ସଂଗ୍ରାମ ତଲାଙ୍ଗରେ ରହିଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି ସଂଗ୍ରାମଙ୍କ ପରିବାରଲୋକେ। 

ଏପରିକି ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଗତ ୩୦ ତାରିଖରେ ଏକ ବୁଝାମଣା ହୋଇଥିଲା। ହେଲେ ଏସବୁ ଭିତରେ ମଙ୍ଗଳବାର ଗାଁର ଏକ ଗଛରେ ସଂଗ୍ରାମଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିବା ତଦନ୍ତ ଆରମ୍ଭ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.