ପୁନେରେ ସୋଆ ଆଲୁମିନାଇ ଆସୋସିଏସନ୍‌ର ସମାବେଶ, ଏକାଠି ହୋଇ ପୁରୁଣା ସ୍ମୃତି ମନେ ପକାଇଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | July 09, 2025 IST

ଭୁବନେଶ୍ୱର: ନିଜ ଶିକ୍ଷାନୁଷ୍ଠାନ, କ୍ୟାମ୍ପସ୍ ଓ ବନ୍ଧୁମାନଙ୍କର ପୁରୁଣା ସ୍ମୃତିକୁ ତାଜା କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଛାତ୍ରୀଙ୍କର ଏକ ସମାବେଶ ଗତ ରବିବାର ପୁନେରେ ଆୟୋଜିତ ହୋଇଯାଇଛି। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସୋଆ ଆଲୁମିନାଇ ଆସୋସିଏସନ୍‌ର ମୁମ୍ବାଇ-ପୁନେ ଶାଖା ପକ୍ଷରୁ ଏହି ସମାବେଶ ଆୟୋଜନ କରାଯାଇଥିଲା ।

ସମାବେଶରେ ବହୁ ପୁରାତନ ଛାତ୍ରଛାତ୍ରୀ ଖୁବ୍ ଉତ୍ସାହର ସହ ସାମିଲ ହୋଇଥିବାବେଳେ ପୁରୁଣା ବନ୍ଧୁମାନଙ୍କ ସହ ନିଜର ସ୍ମୃତି ସାଉଁଟିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗିତା ଦ୍ୱାରା ଭବିଷ୍ୟତରେ କିଭଳି ଅଧିକ ସୁଯୋଗ ସୃଷ୍ଟି କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । 

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମାବେଶରେ ଯୋଗ ଦେବା ସହ ପୁରାତନ ଛାତ୍ରଛାତ୍ରୀମାନଙ୍କୂ ବିଶ୍ୱବିଦ୍ୟାଳୟର ଅଭିବୃଦ୍ଧି ଏବଂ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଫେସର ନନ୍ଦ ଅନ୍ୟମାନଙ୍କୁ ସଫଳତାର ସଠିକ୍ ରାସ୍ତା ଦେଖାଇବା ସହ ଗବେଷଣା, ସହଭାଗିତା ସମ୍ପର୍କିତ ସୁଯୋଗ ଏବଂ ଶିକ୍ଷାନୁଷ୍ଠାନର ବିକାଶ ସମ୍ପର୍କରେ ସହଯୋଗ କରିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ । 

ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନଗେଜମେଂଟର ନିର୍ଦ୍ଦେଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ ଏବଂ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ସିନିୟର ଫ୍ୟାକଲ୍ଟି ପ୍ରଫେସର ସାରଦା ପ୍ରସନ୍ନ ପତିଙ୍କ ସମେତ ଅନ୍ୟ ସ୍ୱତନ୍ତ୍ର ଅତିଥି ଏବଂ ଫ୍ୟାକଲ୍ଟି ମେମ୍ବରମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । 

ସୋଆ ଆଲୁମିନାୟୀଜ୍‌ର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା, ସମ୍ପାଦକ ଡକ୍ଟର ଶକ୍ତିକେତନ ପୃଷ୍ଟି, ଆବାହକ ଶ୍ରୀ ଅଭିଷେକ ପଟ୍ଟନାୟକ ଏବଂ କୋର କମିଟି ସଦସ୍ୟ ଡକ୍ଟର ଶ୍ୱେତାରାଣୀ ବିଶ୍ୱାଳ ଆଲୁମିନାଇ ଆସୋସିଏସନ୍‌ର ଆଗାମୀ ପଦକ୍ଷେପ ସମ୍ପର୍କରେ ତଥ୍ୟ ରଖିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.