ନକଭିଙ୍କ ଇସ୍ତଫା ପରେ ସ୍ମୃତି ହେଲେ ସଂଖ୍ୟା ଲଘୁ କଲ୍ୟାଣ ମନ୍ତ୍ରୀ, ସିନ୍ଧିଆଙ୍କୁ ମିଳିଲା ଇସ୍ପାତ ମନ୍ତ୍ରଣାଳୟ

Published By : Prameya-News7 Bureau | July 06, 2022 IST

ନୂଆଦିଲ୍ଲୀ:  କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ଵ ମିଳିଛି। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ଵ ମିଳିଛି। ମୁଖତାର ଅବାସ ନକଭି  ଏବଂ  ଆରପିସି ସିଂହ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନକଭି ସଂଖ୍ୟାଲଘୁ ଏବଂ ଆରପିସି ସିଂହ ଇସ୍ପାତ ମନ୍ତ୍ରୀ ଥିଲେ।

ନକଭି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଇସ୍ତଫା ଦେଇଥିଲେ। ନକଭି ଆଜି ନିଜର ଶେଷ କ୍ୟାବିନେଟ୍ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନକଭିଙ୍କ ଦେଶ ପ୍ରତି ଯୋଗଦାନକୁ ପ୍ରଶଂସା କରିଥିଲେ।

ଏଥିସହ ଇସ୍ପାତ ମନ୍ତ୍ରୀ ଆରସିପି ସିଂହଙ୍କ ମଧ୍ୟ ଆଜି ଥିଲା କ୍ୟାବିନେଟ୍ ବୈଠକ। ଏହି ସମୟରେ ପ୍ରଧାନମନ୍ତ୍ରୀ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇ କହିଥିଲେ ଯେ, ଦୁଇ ମନ୍ତ୍ରୀ ଦେଶର ବିକାଶରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।

ଉଲ୍ଲେଖନୀୟ ରାଜ୍ୟସଭା ସାଂସଦ ଭାବେ ନକଭି ଏବଂ ରାମ ଚନ୍ଦ୍ର ପ୍ରସାଦ ସିଂହଙ୍କ କାର୍ଯ୍ୟକାଳ ଗୁରୁବାର ସମାପ୍ତ ହେବାକୁ ଯାଉଛି। କ୍ୟାବିନେଟ୍ ବୈଠକ  ସରିବା ମାତ୍ରେ ନକଭି ପାର୍ଟି ମୁଖ୍ୟାଳୟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ବିଜେପିର ବରିଷ୍ଠ ନେତା ନକଭି ରାଜ୍ୟସଭାରେ ପାର୍ଟିର ଉପ ନେତା ଥିଲେ।

ଜେଡିୟୁ ନେତା ଆରସିପି ସିଂହ ୨୦୨୧ ଜୁଲାଇ ୭ରେ ମୋଦୀ ସରକାରରେ ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିଲେ। ତେବେ ନିକଟରେ ସଂପନ୍ନ ରାଜ୍ୟସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରସିପି ସିଂହଙ୍କୁ ଟିକେଟ୍ ଦେବାକୁ ମନା କରି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.