ଭିତ୍ତିହୀନ, ଭୋଟ୍ ବ୍ୟାଙ୍କ ରାଜନୀତିରୁ ପ୍ରେରିତ...କାନାଡାକୁ କଡ଼ା ଜବାବ ଦେଲେ ଭାରତ ସରକାର

Published By : Prameya-News7 Bureau | October 14, 2024 IST

ନୂଆଦିଲ୍ଲୀ: ଖାଲିସ୍ତାନୀ ହରଦୀପ ସିଂ ନିଜ୍ଜରର ହତ୍ୟା ମାମଲାରେ କାନାଡାର ଟ୍ରୁଡୋ ସରକାରକୁ ଭାରତ ସରକାର ଜୋରଦାର ଟାର୍ଗେଟ୍ କରିଛନ୍ତି । ଭାରତର ବିଦେଶ ମନ୍ତ୍ରଣାଳୟ ସୋମବାର କହିଛି ଯେ କାନାଡାର ବ୍ୟବହାର ଏହି ମାମଲାରେ ଅତ୍ୟନ୍ତ ଆପତ୍ତିଜନକ ଏବଂ ଦୁଇ ଦେଶର ସମ୍ପର୍କ ପାଇଁ ଠିକ୍ ନୁହେଁ । କାନାଡା ରବିବାର କହିଥିଲା ଯେ ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ହାଇକମିଶନ ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ଉପରେ ସନ୍ଦେହ ରହିଛି ଏବଂ ଏମାନଙ୍କୁ ପର୍ସନ ଅଫ୍ ଇନଟ୍ରେଷ୍ଟ ବଲି କହିଥିଲା । ଅର୍ଥାତ୍ କାନାଡା ସରକାର ଭାରତୀୟ ହାଇକମିଶନ ଏବଂ କୂଟନୀତିଜ୍ଞଙ୍କ ଏହି ମାମଲାରେ ସନ୍ଦିଗ୍ଧ ମାନୁଛି । 

ଭାରତ ସରକାର ସୋମବାର କାନାଡାକୁ କଡ଼ା ଜବାବ ଦେଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଟ୍ରୁଡୋ ସରକାର ବିନା କୌଣସି ପ୍ରମାଣରେ ଲଗାତାର ଭିତ୍ତିହୀନ ଅଭିଯୋଗ ଆଣୁଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ରାଜନୈତିକ ଏଜେଣ୍ଡା ଚଲାଇବା ପାଇଁ ଏହିପରି ଭିତ୍ତିହୀନ ଅଭିଯୋଗ ଆଣି ଭାରତର ଛବି ଖରାପ କରିବା ପାଇଁ ଉଦ୍ୟମ କରୁଛନ୍ତି । ଭାରତ ସରକାର କହିଛନ୍ତି ଯେ ଟ୍ରୁଡୋ ସରକାରଙ୍କ ଏହି ଏଜେଣ୍ଡା ଭୋଟ୍ ବ୍ୟାଙ୍କ ରାଜନୀତିକୁ ପ୍ରେରିତ ଅଟେ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ୨୦୨୩ ସେପ୍ଟେମ୍ୱରରେ ଟ୍ରୁଡୋଙ୍କ ଦ୍ୱାରା ଭିତ୍ତିହୀନ ଅଭିଯୋଗ କରାଯିବା ପରଠୁ କାନାଡା ସରକାର ଗୋଟିଏ ବି ପ୍ରମାଣ ଦେଇ ନାହିଁ । ଅନ୍ୟପଟେ ଭାରତ ସରକାର ଅନେକ ଥର ଏହି ମାମଲାରେ ପ୍ରମାଣ ମାଗି ସାରିଛି । ଏମ୍‌ଇଏ ସନ୍ଦେହ ପ୍ରକାଶ କରିଛି ଯେ ନିଜ୍ଜର ହତ୍ୟାକାଣ୍ଡର ତଦନ୍ତ ଜରିଆରେ ଭାରତର ଛବିକୁ ଖରାପ କରି ରାଜନୈତିକ ଲାଭ ହସାଲ ପାଇଁ ଉଦ୍ୟମ କରାଯାଉଛି । 

ବିଦେଶ ମନ୍ତ୍ରଣାଳୟ କହିଛି ଯେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ବିରୋଧୀ ଏଜେଣ୍ଡା ପୂର୍ବରୁ ଉଜାଗର ହୋଇସାରିଛି । ବିଦେଶ ମନ୍ତ୍ରଣାଳୟ ୨୦୧୮ରେ ଟ୍ରୁଡୋଙ୍କ ଭାରତ ଗସ୍ତକୁ ଭୋଟ୍ ବ୍ୟାଙ୍କ ରାଜନୀତିର ଏକ ଅଂଶ ବୋଲି କହିଥିଲା । ଏମ୍‌ଇଏ କହିଛି ଯେ ୨୦୨୦ରେ ଭାରତର ଆଭ୍ୟନ୍ତରୀଣ ରାଜନୀତିରେ ଟ୍ରୁଡୋ ଦଖଲ ସ୍ପଷ୍ଟ କରିଥିଲା ଯେ ସେ ରାଜନୀତିକ ହିତ ହାସଲ ପାଇଁ କ'ଣ କ'ଣ କରିପାରିବେ । ଭାରତ ସରକାର କହିଛନ୍ତି ଯେ ଟ୍ରୁଡୋ କ୍ୟାବିନେଟ୍‌ରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସିଧାସଳଖ ଭାରତ ବିରୋଧୀ କଟ୍ଟରପନ୍ଥୀ ଏବଂ ବିଚ୍ଛିନ୍ନତାବାଦୀରୁ ପ୍ରେରିତ ଅଟେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.