ବାରିପଦା ୪।୭: ଧରାପଡିଲେ କୁଳିଅଣା ଗୁଳିକାଣ୍ଡର ୬ ଅଭିଯୁକ୍ତ । ଲୁଟ୍ ପାଇଁ ଘଟିଥିବା ଗୁଳିକାଣ୍ଡ ଘଟଣାରେ ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗତ ୨୩ ତାରିଖରେ କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ନିକଟସ୍ଥ ୧୮ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୬ଜଣଙ୍କୁ ଗିରଫ କରିଛି ମୟୂରଭଞ୍ଜ ପୋଲିସ । ମୁଖ୍ୟ ଅଭିଯୁକ୍ତ ତଥା ଘଟଣାର ମାଷ୍ଟରମାଇଣ୍ଡ ଜଣଙ୍କ ହେଲେ ରାଇରଙ୍ଗପୁର ଥାନା ବାସିଙ୍ଗିର ଦେବବ୍ରତ ଦାସ । ଦେବବ୍ରତ ମଧ୍ୟ ମଦ ଦୋକାନର ଜଣେ କର୍ମଚାରୀ ।
ସହକର୍ମୀ ହୋଇ ସହକର୍ମୀଙ୍କ ଠାରୁ ଲୁଟିବା ପାଇଁ କରିଥିଲେ ପ୍ଲାନିଂ । ଆଉ ଏଥିପାଇଁ କିଛି ଜେଲ୍ ଫେରନ୍ତା ଆସାମୀଙ୍କୁ ଦେଇଥିଲେ ସୁପାରୀ । ମୁଖ୍ୟ ଅଭିଯୁକ୍ତ ଏକ ମାମଲାରେ ଜେଲ୍ ଯାଇଥିବା ବେଳେ ଆସାମୀ ମାନଙ୍କ ସହିତ ଚିହ୍ନା ପରିଚୟ ହୋଇଥିଲା । ଗୁଳିକାଣ୍ଡ ପରେ ମୟୂରଭଞ୍ଜ ପୋଲିସ ଘଟଣାସ୍ଥଳର ଫରେନ୍ସିକ୍ ପ୍ରମାଣ ସହିତ ପାଇଥିବା ସିସି କ୍ୟାମେରା ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଯେଉଁ ସଂସ୍ଥା ମାନଙ୍କରୁ ଟଙ୍କା ଆଦାୟ କରି ଆହତ ଯୁବକ ଶିବାନନ୍ଦ ଫେରୁଥିଲେ ସେହି ସଂସ୍ଥାର କର୍ମଚାରୀ ମାନଙ୍କ ଫୋନ୍ ରେକର୍ଡ ଆଧାରରେ ପ୍ରଥମେ ସୁରକ୍ ପାଇ ପୋଲିସ ତଦନ୍ତକୁ ଜୋରଦାର କରିବା ପରେ ମୁଖ୍ୟ ଅଭିଯୁକ୍ତଙ୍କ କଲ୍ ରେକର୍ଡରୁ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ ବୋଲି ଡିଆଇଜି କହିଛନ୍ତି ।