ମୁମ୍ବାଇ ୦୫।୦୮ : ଇଂଲଣ୍ଡର ଆଶା ପୁଣି ଧୂଳିସାତ୍। ୨୦୧୮ରୁ ଦେଖିଥିବା ସ୍ୱପ୍ନରେ ଆଜି ଯାଏଁ ହୋଇପାରୁନି ସତ । ଜାରି ରହିଛି ଟିମ୍ ଇଣ୍ଡିଆର ଅପରାଜେୟ ରେକର୍ଡ। ଘରୋଇ ହେଉ କି ବିଦେଶୀ ମାଟି । ସବୁଠି ଟିମ୍ ଇଣ୍ଡିଆର ରହିଛି ଦବ୍ଦବା ।
ସୋମବାର ଶେଷ ହୋଇଛି ଭାରତ-ଇଂଲଣ୍ଡ ୫ଟିକିଆ ସିରିଜ୍ । ଯେଉଁଥିରେ ଉଭୟ ଟିମ୍ ଟେଷ୍ଟ ସିରିଜ୍କୁ ୨-୨ରେ ବରାବର କରିଛନ୍ତି । ଏହି ସିରିଜ୍ରେ ଘରୋଇ ଇଂଲଣ୍ଡ ଭାରତ ବିପକ୍ଷରେ ଦମ୍ଦାର ପ୍ରଦର୍ଶନ କରିଥିଲା । କିନ୍ତୁ ଘରୋଇ ଟିମ୍ ଉପରେ ଭାରି ପଡିଥିଲା ଭାରତୀୟ ଟିମ୍ । ସିରିଜ୍ରେ ପଛରେ ଥାଇ ମଧ୍ୟ କମ୍ବ୍ୟାକ୍ କରିଥିଲା ଭ୍ରମଣକାରୀ ଦଳ । ଏପିରିକି ପଞ୍ଚମ ଟେଷ୍ଟ ବିଜୟ ପାଇଁ ଅନ୍ତିମ ଦିନରେ ୩୫ ରନ୍ର ଆବଶ୍ୟକ ଥିବା ବେଳେ ଭାରତୀୟ ଟିମ୍କୁ ୪ ଓ୍ୱିକେଟ୍ର ଆବଶ୍ୟକ ରହିଥିଲା । ଶେଷରେ ମହମ୍ମଦ ସିରାଜ୍ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ଆଗରେ ସରେଣ୍ଡର ହୋଇଥିଲା ଇଂଲଣ୍ଡ ବାହିନୀ । ଆଉ ୬ ରନ୍ରେ ପଞ୍ଚମ ଟେଷ୍ଟକୁ ନିଜ ନାଁରେ କରିଥିଲା ଭାରତୀୟ ଟିମ୍ । ଆଉ ସିରିଜ୍କୁ ୨-୨ରେ ବରାବର କରିଛନ୍ତି ଉଭୟ ଟିମ୍ । ତେବେ ଏହି ସିରିଜ୍ ଡ୍ର ସହିତ ଇଂଲଣ୍ଡର ସାତ ବର୍ଷର ସ୍ୱପ୍ନ ଧୁଳିସାତ୍ ହୋଇଛି । ୨୦୧୮ରୁ ଏବେ ଯାଏଁ ଭାରତ ବିପକ୍ଷରେ ଇଂଲଣ୍ଡ କୌଣସି ବି ଟେଷ୍ଟ ସିରିଜ୍ ଜିତିନାହିଁ । ତେବେ ଆସନ୍ତୁ ନଜର ପକାଇବା ୨୦୧୮ ପରର ଟେଷ୍ଟ ସିରିଜ୍ର ରେଜଲ୍ଟ...
୨୦୨୧ ସିରିଜ୍ : ଭାରତ ୩-୧ରେ ବିଜୟୀ
୨୦୨୧-୨୨ ସିରିଜ୍ : ଡ୍ର
୨୦୨୪ ସିରିଜ୍ : ଭାରତ ୪-୧ରେ ବିଜୟୀ
୨୦୨୫ ସିରିଜ : ଡ୍ର
ସୂଚନାଯୋଗ୍ୟ ଯେ, ଜୁନ ୨୦ରେ ଆରମ୍ଭ ହୋଇଥିଲା ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ୍ । ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ଟିମ୍ ୫ ଓ୍ୱିକେଟ୍ରେ ବିଜୟୀ ହୋଇଥିଲା । ଏହାପରେ ୨ୟ ଟେଷ୍ଟକୁ ଭାରତ ୩୩୬ ରନ୍ରେ ବିଜୟୀ ହୋଇଥିଲା । ୩ୟ ଟେଷ୍ଟକୁ ଇଂଲଣ୍ଡ ୨୨ ରନ୍ରେ ବିଜୟୀ ହୋଇଥିବା ବେଳେ ୪ ଟେଷ୍ଟ ଡ୍ର ରହିଥିଲା । ବାକି ପଞ୍ଚମ ଟେଷ୍ଟକୁ ଭାରତ ୬ ରନ୍ରେ ବିଜୟୀ ହୋଇଥିଲା । ଶେଷରେ ସିରିଜ୍ରେ ୨-୨ରେ ବରାବର ରହିଛି ।