ନବଜାତ ଶିଶୁଙ୍କ ଆକାଉଣ୍ଟରେ ୧୦ ହଜାର ୮୦୦ ଟଙ୍କା ଫିକ୍ସ ଡିପୋଜିଟ୍ କରିବେ ସରକାର; ମାଚ୍ୟୁରିଟି ପରେ ଉଠାଇ ହେବ

Published By : Prameya-News7 Bureau | February 26, 2024 IST

ଗ୍ୟାଙ୍ଗଟକ୍: ନବଜାତ ଶିଶୁଙ୍କ ଆକାଉଣ୍ଟରେ ୧୦ ହଜାର ୮୦୦ ଟଙ୍କା ଫିକ୍ସ ଡିପୋଜିଟ୍ ମାରିବେ ସରକାର। ଏନେଇ ରାଜ୍ୟ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଖବର ପଢ଼ି ଆପଣ ହୁଏତ ଖୁସି ହୋଇଯାଇଥିବେ। ହେଲେ ଏହି ଯୋଜନା ଓଡ଼ିଶା ସରକାରଙ୍କର ନୁହେଁ, ସିକ୍କିମ ସରକାର ଏଭଳି ଯୋଜନା ଆଣିଛନ୍ତି। ସୋମବାର ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ‘ସିକ୍କିମ ଶିଶୁ ସମୃଦ୍ଧି ଯୋଜନା’ ଘୋଷଣା କରିଛନ୍ତି।

ଏହି ଯୋଜନାରେ ରାଜ୍ୟ ସରକାର ନବଜାତ ଶିଶୁଙ୍କ ଆକାଉଣ୍ଟରେ ୧୦ ହଜାର ୮୦୦ ଟଙ୍କା ଫିକ୍ସ ଡିପୋଜିଟ୍ କରିବେ। ପିଲାର ବୟସ ୧୮ ବର୍ଷ ହେଲେ ମାଚ୍ୟୁରିଟି ସହ ଟଙ୍କା ଉଠାଇ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବର୍ତ୍ତମାନ ରାଜନୈତିକ ଦଳମାନେ ସିକ୍କିମରେ ଜୋରଦାର୍ ପ୍ରଚାରରେ ଲାଗି ପଡ଼ିଛନ୍ତି। ତେଣୁ ଲୋକଙ୍କୁ ଆକୃଷ୍ଟ କରିବାକୁ ସୋରେଙ୍ଗ ଜିଲ୍ଲାରେ ‘ଜନ ଭରୋସା ସମ୍ମିଳନୀ’ରେ ଲୋକଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
୨୦୧୧ ଜନଗଣନା ଅନୁସାରେ, ସିକ୍କିମ ହେଉଛି ଦେଶରୁ ସବୁଠାରୁ କମ ଜନସଂଖ୍ୟା(୬.୧୦) ଥିବା ରାଜ୍ୟ। ତେଣୁ ରାଜ୍ୟରେ ବୟସ୍କ ସମସ୍ୟା ସହ ମୁକାବିଲା କରିବା ଜନସଂଖ୍ୟା ବୃଦ୍ଧି କରିବାକୁ ଲୋକଙ୍କୁ ଆକୃଷ୍ଟ କରିବାକୁ ତମାଙ୍ଗ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ପଢ଼ନ୍ତୁ-ଟେକ୍ସଟାଇଲ ସେକ୍ଟର ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି, କହିଲେ-ମିଳିବ ସରକାରଙ୍କ ପୂର୍ଣ୍ଣ ସମର୍ଥନ

କେବଳ ସେତିକି ନୁହେଁ, ଯେଉଁ ସରକାରୀ କର୍ମଚାରୀଙ୍କ ୨-୪ ଫିଲା ଥିବା ସେମାନଙ୍କ ପାଇଁ ଅତିରିକ୍ତ ଦରମାବୃଦ୍ଧି, ସରକାରୀ ଚାକିରିଆ ମାଆଙ୍କୁ ବର୍ଷେ ପାଇଁ ଦରମାଯୁକ୍ତ ମାତୃତ୍ୱ ଛୁଟି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

କମ୍ ଜନ୍ମହାରକୁ ନେଇ ଚିନ୍ତା ପ୍ରକଟ କରି ତମାଙ୍ଗ କହିଛନ୍ତି “ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ଜନ୍ମହାର ହ୍ରାସ ପାଇବା ସିକ୍କିମ ପାଇଁ ଚିନ୍ତାର ବିଷୟ। ଏହି ଚକ୍ରକୁ ପୁନଃ ଗତି ଦେବାକୁ ଆମ ହାତରେ ଯାହା ଅଛି ତାହା କରିବା ଉଚିତ୍।” ରାଙ୍ଗପୋରେ ୪ ବର୍ଷ ସରକାରୀ ଚାକିରି ପୂରା କରିସାରିଥିବା ୨୫ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ଫେବ୍ରୁଆରୀ ୨୯ ତାରିଖରେ ସ୍ଥାୟୀ କରାଯିବ ବୋଲି ସୋରେଙ୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଥାଉକି ଚଳିତ ମାସ ଆରମ୍ଭରେ ରାଜ୍ୟ କ୍ୟାବିନେଟ୍ ଠିକା ଚାକିରିଙ୍କୁ ସ୍ଥାୟୀ କରିବାକୁ ଅନୁମୋଦନ ଦେଇଥିଲା। ଏବଂ ପୁରୁଣା ପେନ୍‌ସନ ଯୋଜନାକୁ ପୁଣିଥରେ ଲାଗୁ କରିଥିଲା। ଆଗକୁ ନିର୍ବାଚନ ଥିବାରୁ ସିକ୍କିମ ସରକାର ରାଜ୍ୟରେ ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.