ଆଉ ନାହାନ୍ତି ସିଦ୍ଧରମୈୟା ; ମେଟାର ଟ୍ରାନ୍ସଲେସନ୍ ଭୁଲ୍ ନେଇ ରାଗିଗଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 18, 2025 IST

ନୂଆଦିଲ୍ଲୀ : ସିଦ୍ଧରମୈୟାଙ୍କୁ ମାରିଦେଲା ମେଟା।  ଅର୍ଥାତ୍ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି ବୋଲି ଲେଖିଦେଲା ମେଟା। ଯାହାକୁ ନେଇ ରାଗିଯାଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ମୃତ୍ୟୁ ଉପରେ ଏକ ପୋଷ୍ଟ ପୋଷ୍ଟ କରିଛନ୍ତି। ସେ କନ୍ନଡ ଭାଷାରେ ଅଭିନେତ୍ରୀଙ୍କ ମୃତ୍ୟୁ  ଖବର ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି।  କିନ୍ତୁ ମେଟାର ଅଟୋ ଟ୍ରାନ୍ସଲେସନ୍ ଟୁଲ୍ ଏହାକୁ ଇଂରାଜୀରେ ଅନୁବାଦ କରିବା ସମୟରେ ଏକ ବଡ଼ ଭୁଲ କରିଛି। ସିଦ୍ଧରମୈୟାଙ୍କ ପୋଷ୍ଟକୁ କନ୍ନଡରୁ ଇଂରାଜୀରେ ଅନୁବାଦ କରିବା ସମୟରେ ତାଙ୍କୁ ମୃତ ଘୋଷଣା କରିଛି। ମେଟା ଲେଖିଛି- Chief Minister Siddarmaiah Passed away Yesterday... ଯାହା ଉପରେ ସିଦ୍ଧରମୈୟା ରାଗିଯାଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ସଂଶୋଧନ ଦାବି କରିଛନ୍ତି। 

ସୂଚନାନୁସାରେ, ଏକ ସ୍ଥାନୀୟ କନ୍ନଡ଼ ନ୍ୟୁଜ୍ ଚ୍ୟାନେଲ୍ ନିଜ ଇନଷ୍ଟାଗ୍ରାମ ପେଜରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଏକ ଖବର ପୋଷ୍ଟ କରିଥିଲା । କିନ୍ତୁ ଯେତେବେଳେ କୌଣସି ବ୍ୟବହାରକାରୀ ଇନଷ୍ଟାଗ୍ରାମର "See Translation" ବଟନ୍ ଉପରେ କ୍ଲିକ୍ କଲେ, କନ୍ନଡ଼ ଭାଷାର ପୋଷ୍ଟଟି ଭୁଲ ଭାବେ ଇଂରାଜୀରେ ଅନୁବାଦ ହୋଇଗଲା । ଯାହାର ଅର୍ଥ ଥିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି । ଏହି ଭୁଲ ଅନୁବାଦ ଯୋଗୁଁ ଲୋକଙ୍କ ମଧ୍ୟରେ ଏକ ବଡ଼ ବିଭ୍ରାନ୍ତି ସୃଷ୍ଟି ହୋଇଥିଲା। ଆଉ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ହୋଇଥିଲା ।


ଏହି ଘଟଣା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହାକୁ ଗୁରୁତର ସହ ନେଇଥିଲେ ଏବଂ ତୀବ୍ର ଅସନ୍ତୋଷ  ପ୍ରକାଶ କରିଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରି ମେଟାକୁ ସମାଲୋଚନା କରିଥିଲେ ।  ଏହି ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଥିଲେ, "ମୁଁ ମେଟାକୁ ଏହି ଚିଠି ଲେଖିବାକୁ ବାଧ୍ୟ ହେଲି । କନ୍ନଡ଼ ଭାଷାର ଭୁଲ ଅନୁବାଦ କରି ମୋତେ ମୃତ ବୋଲି ଦର୍ଶାଇବା ଏକ ବଡ଼ ଭୁଲ ଏବଂ ଏହା ଗ୍ରହଣୀୟ ନୁହେଁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା କରାଯାଉଥିବା ଅନୁବାଦର ବିଶ୍ୱସନୀୟତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଙ୍କ ଦାବି ଅନୁଯାୟୀ, ଯେପର୍ଯ୍ୟନ୍ତ ଏହି ବୈଷୟିକ ତ୍ରୁଟିକୁ ସମ୍ପୂର୍ଣ୍ଣ ରୂପେ ସୁଧାର ନ ଯାଇଛି, ସେପର୍ଯ୍ୟନ୍ତ କନ୍ନଡ଼ରୁ ଇଂରାଜୀକୁ ସ୍ୱୟଂଚାଳିତ ଅନୁବାଦକୁ ବନ୍ଦ କରାଯିବା ଉଚିତ୍। ସେପଟେ ବିବାଦ ବଢ଼ିବା ପରେ ମେଟାର ଜଣେ ମୁଖପାତ୍ର ଏହି ଘଟଣାକୁ ଏକ "ଦୁର୍ଭାଗ୍ୟପୂର୍ଣ୍ଣ ବୈଷୟିକ ତ୍ରୁଟି" ବୋଲି କହିଛନ୍ତି। ଏହା ସହ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.