ଲର୍ଡ୍ସ ଟେଷ୍ଟରେ ବଡ଼ ବିବାଦ, ଅମ୍ପାୟରଙ୍କ ଉପରେ ରାଗି ଗଲେ ଗିଲ୍, ହାତରୁ ଛଡ଼ାଇ ନେଲେ ବଲ୍

Published By : Prameya-News7 Bureau | July 11, 2025 IST

ନୂଆଦିଲ୍ଲୀ: ଲର୍ଡ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଏପରି କିଛି ହେଲା ଯେ ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍ ରାଗି ଯାଇ ଅମ୍ପାୟରଙ୍କ ସହ ଯୁକ୍ତତର୍କ କରିଥିଲେ । କେବଳ ସେ ନୁହେଁ, ଷ୍ଟାର ବୋଲର ମହମ୍ମଦ ସିରାଜ ମଧ୍ୟ ଅମ୍ପାୟରଙ୍କ ସହ ଯୁକ୍ତି କରୁଥିବା ନଜର ଆସିଥିଲେ । ଏହି ସବୁ ଘଟଣା ବଲ୍‌କୁ ନେଇ ହୋଇଥିଲା, ଯାହା ଉପରେ ସିରିଜ ଆରମ୍ଭରୁ ହିଁ ପ୍ରଶ୍ନ ଉଠିସାରିଛି । ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବଲ୍ ପରିବର୍ତ୍ତନକୁ ନେଇ ଭାରତୀୟ କ୍ୟାପ୍ଟେନ ଓ ବାଂଲାଦେଶୀ ଅମ୍ପାୟର ସୌକତ ସରଫୁଦ୍ଦୌଲାଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା ।

ଜୁଲାଇ ୧୧ରେ ଲର୍ଡ୍ସ ଟେଷ୍ଟର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିଥିଲା । ଦିନର ଖେଳ ଆରମ୍ଭର ଅଧା ଘଣ୍ଟା ଭିତରେ ବୁରମା ଇଂଲଣ୍ଡର ତିନି ୱିକେଟ୍ ନେଇଥିଲେ । ଏଥିରେ ନୂଆ ବଲ୍‌ର ଭୂମିକା ଅଧିକ ଥିଲା । ବଲ୍ ସ୍ୱିଙ୍ଗ ଓ ସିମ୍ ହେଉଥିଲା । ଏହି ବଲ୍‌କୁ ମ୍ୟାଚ୍‌ର ପ୍ରଥମ ଦିନରେ ୮୦.୧ ଓଭର ପରେ ନିଆଯାଇଥିଲା । ଅନୁମାନ କରାଯାଉଥିଲା ଯେ ଏହି ବଲ୍‌ରେ ଅଧିକ ସମୟ ଯାଏ ଖେଳାଯିବ । କିନ୍ତୁ ଡ୍ୟୁକ୍ସ ବଲ୍‌କୁ ନେଇ ଉଠୁଥିବା ପ୍ରଶ୍ନ ଏଠି ସତ ପ୍ରମାଣିତ ହୋଇଥିଲା ଓ କେବଳ ୧୦.୩ ଓଭର ବୋଲିଂ ପରେ ହିଁ ଏହାକୁ ବଦଳାଇବାକୁ ପଡ଼ିଥିଲା ।

ଇଂଲଣ୍ଡ ଇନିଂସର ୯୧ତମ ଓଭରର ଚତୁର୍ଥ ବଲ୍ ପକାଇବା ପରେ ମହମ୍ମଦ ସିରାଜ ଅମ୍ପାୟରଙ୍କୁ ବଲର ଆକାର ବଦଳିବା ନେଇ ଅଭିଯୋଗ କରିଥିଲେ । ଅମ୍ପାୟର ସୌକତ ନିଜ ଉପକରଣରେ ଏହାକୁ ଚେକ୍ କରିଥିଲେ । ବଲ୍‌ର ଆକାର ବଦଳିଥିବା ସ୍ପଷ୍ଟ ହୋଇଥିଲା । ତେଣୁ ବଲ୍‌କୁ ବଦଳାଇବା ପାଇଁ ନିଷ୍ପତ୍ତି ନିଆଗଲା ଓ ବଲ୍ ବକ୍ସରୁ ଗୋଟିଏ ବଲ୍ ଚୟନ କରାଗଲା । ବଲ୍ ଭାରତୀୟ ଟିମକୁ ଦିଆଯିବା ପରେ, ଏହା ଉପରେ ପ୍ରଶ୍ନ ଉଠିଥିଲେ । ଅଧିନାୟକ ଗିଲ୍ ସିଧାସଳଖ ଅମ୍ପାୟରଙ୍କ ପାଖକୁ ଯାଇ ଆପତ୍ତି ଉଠାଇଥିଲେ । ଗିଲ୍‌ଙ୍କ ଅଭିଯୋଗ ଥିଲା, ଦିଆଯାଇଥିବା ବଲ୍ ୧୦-୧୧ ଓଭର ପୁରୁଣା ଲାଗୁ ନାହିଁ । ନିୟମ ଅନୁସାରେ ବଲ୍‌କୁ ବଦଳାଇବା ସମୟରେ ସେହିପରି ପୁରୁଣା ବଲ୍ ଦିଆଯିବ । କିନ୍ତୁ ଅମ୍ପାୟର ଗିଲ୍‌ଙ୍କ କଥାକୁ ଶୁଣି ନଥିଲେ, ଯେଉଁଥି ପାଇଁ ଭାରତୀୟ କ୍ୟାପ୍ଟେନଙ୍କ ତାଙ୍କ ସହ ଯୁକ୍ତିତର୍କ ହୋଇଥିଲା । ରାଗରେ ଗିଲ୍ ଅମ୍ପାୟରଙ୍କ ହାତରୁ ବଲ୍‌ ଛଡ଼ାଇ ନେଇଥିଲେ । ଏହାପରେ ବଲ୍ ସିରାଜଙ୍କ ପାଖକୁ ଯାଇଥିଲା । ସେ ମଧ୍ୟ ଅମ୍ପାୟରଙ୍କ ପାଖକୁ ଯାଇ ବଲ୍ ୧୦ ଓଭର ପୁରୁଣା ଲାଗୁ ନଥିବା କହିଥିଲେ । କିନ୍ତୁ ଅମ୍ପାୟର ଏହାକୁ ଶୁଣି ନଥିଲେ ।

ଏହି ସମୟରେ କମେଣ୍ଟ୍ରି କରୁଥିବା ପୂର୍ବତନ ଅଧିନାୟକ ଓ ମହାନ ବ୍ୟାଟର ସୁନୀଲ ଗାଭାସ୍କର ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଥିଲେ । ଗାଭାସ୍କର ସ୍ପଷ୍ଟ ଭାବେ କହିଥିଲେ ଯେ ଯେଉଁ ବଲ୍ ଟିମ୍ ଇଣ୍ଡିଆକୁ ଦିଆଯାଇଛି, ତାହା ୧୦ ନୁହେଁ ୨୦ ଓଭର ପୁରୁଣା ଲାଗୁନି । ଏହି ବଲ୍‌ରେ ସେହି ଚମକ ଦେଖିବାକୁ ମିଳୁନି, ଯାହା ପୁରୁଣାରେ ଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.