ଡାକ୍ତରାଣୀ ଶୁଭଶ୍ରୀ ମୃତ୍ୟୁ ଘଟଣା: ୭ ଜଣଙ୍କ ନାଁରେ ଏତଲା ଦେଲେ ବାପା ମନୋରଞ୍ଜନ, ଅନ୍ୟ ୩ ଡାକ୍ତରଙ୍କୁ ବି ଦାୟୀ କଲେ
21/01/2023 at 10:05 PM

ବଡବିଲ: କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରେ କାର୍ଯ୍ୟରତ ମହିଳା ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ଘଟଣା ଭିନ୍ନମୋଡ଼ ନେଇଛି । ଶୁକ୍ରବାର ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ, ମାମୁଁ ଅଜୟ ମାଝୀ ସମ୍ପର୍କୀୟ ମନୋରଞ୍ଜନ ମାଝୀ ଏବଂ ମା’ଙ୍କ ସହିତ ଷଡ଼ଯନ୍ତ୍ରରେ ସାମିଲ ରହିଥିବା ୩ ଜଣ ଡାକ୍ତରଙ୍କ ବିରୋଧରେ ଏତଲା ରୁଜ୍ଜୁ କରିଛନ୍ତି ।
ଅଭିଯୋଗ ପାଇବା ପରେ ଯୋଡା ଥାନାରେ ୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଶୁଭଶ୍ରୀଙ୍କ ଭିସେରା ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। ମଦ୍ୟପାନ ସହିତ ନିଦ ବଟିକା ଖାଇବା ଯୋଗୁ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି। ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, ସେ ଭିସେରା ରିପୋର୍ଟକୁ ଅପେକ୍ଷା କରିଥିଲେ । ରିପୋର୍ଟ ମିଳିବା ପରେ ସେ ଅଇନର ଆଶ୍ରୟ ନେଇଛନ୍ତି ।
ଏ ଖବର ପଢନ୍ତୁ- ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲା, ଆସିଲା ଭିସେରା ରିପୋର୍ଟ
ଯୋଡା ଥାନା ବନେଇକଳା ସହରାଞ୍ଚଳରେ ଡାକ୍ତର ଭାବେ ନିୟୋଜିତ ଥିବା ଶୁଭଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ୨୦ ଦିନ ପରେ ତାଙ୍କ ପରିବାର ମୁହଁ ଖୋଲିଛନ୍ତି। ଗତ ୧୫ ତାରିଖରେ ଶୁଭଶ୍ରୀ ଯୋଡ଼ାରେ ରହୁଥିବା ଭଡାଘରୁ ତାଙ୍କର ଆସବାବପତ୍ର ନେଇଥିଲେ ପରିବାର ଲୋକ । ତେବେ ଶୁକ୍ରବାର ଯୋଡା ଥାନାକୁ ଆସି ଏତଲା ଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଏତଲାରେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଦର୍ଶାଇଛନ୍ତି ଯେ, ଗତ ଡ଼ିସେମ୍ବର ମାସ ୨୦ ତାରିଖରେ ଶୁଭଶ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଦୁଷ୍କର୍ମ ଓ ପ୍ରତାରଣା କରିଥିବା ନେଇ ଯୋଡ଼ା ଥାନାରେ ଏତଲା ଦାଏର କରିଥିଲେ ଝିଅ ଶୁଭଶ୍ରୀ । ସେହିଦିନ ଦିବ୍ୟରଞ୍ଜନଙ୍କ ମାମୁଁ ଅଜୟ ମାଝୀ, ସମ୍ପର୍କୀୟ ମନୋରଞ୍ଜନ ମାଝୀ ଓ ତାଙ୍କ ମା’ତାଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ସୂଚନା ଦେବା ସହିତ ଧମକଚମକ ଦେଇଥିଲେ । ଘଟଣାର ତୁରନ୍ତ ସମାଧାନ କରିବାକୁ ଚାପ ପକାଇବା ସହିତ ଶୁଭଶ୍ରୀଙ୍କୁ ଏତଲା ପ୍ରତ୍ୟାହାର ପାଇଁ ମଧ୍ୟ ଧମକଚମକ ଦେଇଥିଲେ । ଏମାନଙ୍କ ସହିତ ୩ ଜଣ ଡାକ୍ତରଙ୍କୁ ମଧ୍ୟ ଦାୟୀ କରିଛନ୍ତି ଶୁଭଶ୍ରୀଙ୍କ ବାପା । ଏହି ୩ ଜଣ ଡାକ୍ତର ଦିବ୍ୟରଞ୍ଜନଙ୍କ ସାଥୀ ଡାକ୍ତର ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏ ଖବର ପଢନ୍ତୁ- ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ଟ୍ୱିଷ୍ଟ, ଏତଲା ଦିନ ଇସ୍ତଫା ଦେଇଥିଲେ ପୁରୁଷ ବନ୍ଧୁ
ଶୁଭଶ୍ରୀ ଏତଲା ଦେବା ପରେ ୩ ଜଣ ସାଥୀ ଡାକ୍ତର, ଡାକ୍ତର ପଣ୍ଡା, ଡାକ୍ତର ଗୁରୁ ଓ ଡାକ୍ତର ହିମାଂଶୁ ଝା ଶୁଭଶ୍ରୀଙ୍କୁ ଭୟଭୀତ କରି ଚାପ ପକାଇ ସମାଧାନ କରିବାକୁ ଉଦ୍ୟମରେ ସାମିଲ ଥିଲେ। ଯାହାଫଳରେ ଶୁଭଶ୍ରୀ ମାନସିକ ଭାବେ ଭାଙ୍ଗି ପଡିବା ସହିତ ଭୟଭୀତ ହୋଇ ନୋଟାରୀ ନିକଟରେ ରାଜିନାମା କରିଥିଲେ । ତେଣୁ ଶୁଭଶ୍ରୀଙ୍କ ମୃତ୍ୟୁ ପାଇଁ ଏହି ୩ ଜଣ ଡାକ୍ତର ମଧ୍ୟ ଦାୟୀ ବୋଲି ଏତଲାରେ ମନୋରଞ୍ଜନ କର ଦର୍ଶାଇଛନ୍ତି। ତେବେ ତାଙ୍କ ଝିଅ ମାନସିକସ୍ତରରେ ଖୁବ ଦୃଢ଼ ଥିବା ବେଳେ ୧ ଜାନୁଆରୀ ନବବର୍ଷ ଦିନ ମୃତଦେହ ମିଳିବା ଘଟଣାରେ ଷଡ଼ଯନ୍ତ୍ର ଥିବା କହିଛନ୍ତି । ଏ ସମ୍ପର୍କରେ ଯୋଡା ଥାନାରେ କେସ ନଂ ୨୭/୨୩ ଦଫା ୩୦୨ ଓ ୧୨୦ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।