ଅପରେସନ ସିନ୍ଦୂର ନେଇ କେନ୍ଦ୍ର ସରକାଙ୍କୁ ରାହୁଲଙ୍କ ଟାର୍ଗେଟ୍: ଯୁଦ୍ଧ ରୋକିବା ନେଇ ଟ୍ରମ୍ପଙ୍କ ଦାବିକୁ ମିଛ ପ୍ରମାଣିତ କରନ୍ତୁ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | July 29, 2025 IST

indiatoday

ନୂଆଦିଲ୍ଲୀ: ଆଜି ସଂସଦରେ ଅପରେସନ ସିନ୍ଦୂର ଉପରେ ନିଜର ଭାଷଣ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏଥିସହିତ ଟ୍ରମ୍ପଙ୍କ ସିଜ୍‌ଫାୟାର ଘୋଷଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଚ୍ୟାଲେଞ୍ଜ୍ ଦେଇଛନ୍ତି ରାହୁଲ। ଯଦି ଇନ୍ଦିରା ଗାନ୍ଧୀଙ୍କ ଭଳି ସାହସ ଅଛି ତେବେ ପ୍ରଧାନମନ୍ତ୍ରୀ ସଂସଦରେ କୁହନ୍ତୁ ଯେ ଟ୍ରମ୍ପ ସିଜ୍‌ଫାୟାର କରି ନାହାନ୍ତି।

ରାହୁଲ କହିଛନ୍ତି “ଡୋନାଲ୍ଡ ଟ୍ରମ୍ପ ୨୯ ଥର କହିଲେ ଯେ ସେ ଯୁଦ୍ଧ ବନ୍ଦ କରିଛନ୍ତି। ଯଦି ପ୍ରଧାନମନ୍ତ୍ରୀଙ୍କ ପାଖରେ ଇନ୍ଦିରା ଗାନ୍ଧୀଙ୍କର ୫୦ ପ୍ରତିଶତ ସାହସ ଅଛି, ତେବେ ସେ ସଂସଦରେ ଠିଆ ହୋଇ କହିବା ଉଚିତ ଯେ 'ଡୋନାଲ୍ଡ ଟ୍ରମ୍ପ ମିଛ କହୁଛନ୍ତି, ସେ କେବେ କୌଣସି ଯୁଦ୍ଧବିରତି ମଧ୍ୟସ୍ଥତା କରି ନଥିଲେ। ଯଦି ତାଙ୍କ ପାଖରେ ସେତିକି ସାହସ ଅଛି ତେବେ ପ୍ରଧାନମନ୍ତ୍ରୀ ସଂସଦରେ କୁହନ୍ତୁ ଯେ ଟ୍ରମ୍ପ ଜଣେ ମିଛୁଆ ବୋଲି।” ମଜାଳିଆ ଢଙ୍କରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ ଯଦି ଟ୍ରମ୍ପଙ୍କ କଥାରେ ସତ୍ୟତା ନାହିଁ ତେବେ ମୁଁ ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଉଛି ଯେ ସେ ଟ୍ରମ୍ପଙ୍କୁ ମିଛୁଆ ବୋଲି କୁହନ୍ତୁ। 

ଅପରେସନ ସିନ୍ଦୂର ନେଇ ରାହୁଲ କେନ୍ଦ୍ର ସରକାରଙ୍କୁ ଆହୁରି ଟାର୍ଗେଟ୍ କରି କହିଛନ୍ତି “ଭାରତ ସରକାର ପାକିସ୍ତାନ ସରକାରଙ୍କୁ ଜଣାଇ ଦେଇଥିଲେ ଯେ ଆମର କୌଣସି ରାଜନୈତିକ ଇଚ୍ଛାଶକ୍ତି ନାହିଁ, ଆମେ ଯୁଦ୍ଧ କରିବାକୁ ଚାହୁଁ ନାହୁଁ। ଆମେ କେବଳ କାର୍ଯ୍ୟନୁଷ୍ଠାନ କରୁଛୁ। ପାକିସ୍ତାନ ପକ୍ଷରୁ ଆତ୍ମସମର୍ପଣ ଦାବି କରାଯାଇଥିଲା,ଆଉ ୩୦ ମିନିଟ୍ ମଧ୍ୟରେ ତୁରନ୍ତ ଆତ୍ମସମର୍ପଣ ହୋଇଗଲା।”

ସେହିପରି ଭାରତର ପ୍ରତିରକ୍ଷା ଆଟାଚ୍ କ୍ୟାପ୍ଟେନ ଶିବ କୁମାରଙ୍କ ଇଣ୍ଡୋନେସିଆରେ ଦେଇଥିବା ବୟାନକୁ ଉଦ୍ଧୃତି କରିଛନ୍ତି ରାହୁଲ। ସେ କହିଛନ୍ତି “ଭାରତ ଯେତେ ବିମାନ ହରାଇଛି ବୋଲି ସେ କହିଲେ ସେଥିରେ ମୁଁ ସମ୍ପୂର୍ଣ୍ଣ ସହମତ ନ ହୋଇପାରେ, କିନ୍ତୁ ଆମେ କିଛି ନା କିଛି ହରାଇଛୁ। ଏବଂ ଏହା କେବଳ ଏଥିପାଇଁ ଘଟିଥିଲା କାରଣ ରାଜନୈତିକ ନେତୃତ୍ୱ ସ୍ପଷ୍ଟ ଭାବରେ ସେନାକୁ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ କିମ୍ବା ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ଅର୍ଥରେ ଏହାକୁ କହିବାକୁ ଗଲେ ଆମେ ଆକ୍ରମଣ ଆରମ୍ଭ କରିଥିଲୁ କିନ୍ତୁ ଆମର ପାଇଲଟମାନଙ୍କ ହାତ ବାନ୍ଧି ଦେଇଥିଲୁ।”

ସେହିପରି ରାଜନାଥ ସିଂହଙ୍କ ଭାଷଣକୁ ଉଦ୍ଧୃତ କରି ରାହୁଲ କହିଛନ୍ତି “ରାଜନାଥ କହିଥିଲେ ଯେ ଅପରେସନ ସିଦୂର ସକାଳ ୧:୦୫ ରେ ଆରମ୍ଭ ହୋଇଥିଲା। ସେ କହିଥିଲେ ଯେ ଅପରେସନ ସିନ୍ଦୁର ୨୨ ମିନିଟ୍ ଚାଲିଥିଲା। ତା’ପରେ ସେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା କହିଥିଲେ। ସେ କହିଥିଲେ ଯେ ଆମେ ୧:୩୫ ରେ ପାକିସ୍ତାନକୁ ଫୋନ୍ କରିଥିଲୁ, ଏବଂ କହିଲୁ ଯେ ଆମେ କେବଳ ଅଣ-ସାମରିକ ସ୍ଥାନକୁ ଟାର୍ଗେଟକୁ କରିଛୁ ଏବଂ ଆମେ ଉତ୍ତେଜନା ବୃଦ୍ଧି କରିବାକୁ ଚାହୁଁ ନାହୁଁ। ହୁଏତ ରାଜନାଥ ସିଂହ ବୁଝି ପାରିଲେ ନାହିଁ ଯେ ସେ କ’ଣ କହିଗଲେ।”

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି “ସିନ୍ଦୂର ଅପରେସନ୍ ରାତିରେ ୧:୩୫ ରେ ଯୁଦ୍ଧବିରାମ କରିବା ପାଇଁ ଅନୁରୋଧ କରିବାକୁ ଭାରତର ଡିଜିଏମ୍‌ଓକୁ କହିଥିଲେ ଭାରତ ସରକାର। ଅର୍ଥାତ୍ ତୁମେ ସିଧାସଳଖ ପାକିସ୍ତାନକୁ ତୁମର ରାଜନୈତିକ ଇଚ୍ଛାଶକ୍ତି କହିଦେଲେ, ଯେ ତୁମର ଲଢ଼ିବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ନାହିଁ, ତୁମେ ଲଢ଼ିବାକୁ ଚାହୁଁ ନାହଁ।” ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ରାହୁଲ କହିଥିଲେ ଯେ ଆମେ ଏମିତି ଏକ ପ୍ରଧାନମନ୍ତ୍ରୀ ଚାହୁଁ ନାହୁଁ ଯିଏ ଟ୍ରମ୍ପଙ୍କ ଜଣେ ମିଛୁଆ ବୋଲି ପ୍ରମାଣିତ କରିପାରୁ ନାହାନ୍ତି। ଟ୍ରମ୍ପଙ୍କୁ ଏଭଳି କହିବାକୁ ଦିଅନି ଯେ ସେ ଯୁଦ୍ଧ ବନ୍ଦ କରିଦେଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.