ସରଜିଲ ଇମାମଙ୍କୁ ୩୧ ମାସ ପରେ ଜାମିନ, ଦେଶଦ୍ରୋହ ମାମଲାରେ ହୋଇଥିଲେ ଗିରଫ

Published By : Prameya-News7 Bureau | September 30, 2022 IST

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ସେପ୍ଟେମ୍ୱର ୩୦ରେ ଦେଶଦ୍ରୋହ ମାମଲାରେ ଜଡିତ ସରଜିଲ ଇମାମଙ୍କୁ ୩୧ ମାସ ପରେ ଜାମିନ ପ୍ରଦାନ କରିଛନ୍ତି । ସରଜିଲ ଇମାମଙ୍କୁ ୨୦୧୯ ମସିହାରେ ସିଏଏ-ଏନଆରସି ବିରୋଧ ପ୍ରଦର୍ଶନ ସମୟରେ ଜାମିଆରେ ଦେଶ ବିରୋଧୀ ନାରା ଦେଇଥିବା ଅଭିଯୋଗ ଥିଲା । ଗତ ୩୧ ମାସରୁ ସରଜିଲ ଇମାମ ଜେଲରେ ଥିଲେ।

ସରଜିଲ ଇମାମ ବିରୋଧରେ ୨୦୧୯ ମସିହାରେ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀ ପୋଲିସ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଦେଶଦ୍ରୋହ ମାମଲା ଉପରେ ଶୁଣାଣି ସ୍ଥଗିତ ରହିଛି । ସରଜିଲକୁ ଆପିସିର ଧାରା ୧୫୩ (ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା) ମାମଲାରେ ଜାମିନ ପ୍ରଦାନ କରାଯାଇଛି । ଏହି ଧାରାରେ ସର୍ବାଧିକ ୩ ବର୍ଷ ଜେଲର ପ୍ରାବଧାନ ରହିଛି ।

ଅତିରିକ୍ତ ସେସନ ଜଜ ଅନୁଜ ଅଗ୍ରୱାଲ ଧାରା ୧୫୩ ଏ ଅନୁସାରେ ହେପାଜତରେ ରହିବା ଅବଧିକୁ ଦୃଷ୍ଟିରେ ରଖି ସରଜିଲ ଇମାମକୁ ଡିଫଲ୍ଟ ଜାମିନ ପ୍ରଦାନ କରିଛନ୍ତି । ସେ ଦଣ୍ଡର ସର୍ବାଧିକ ଅବଧିର ଅଧା ସମୟ ଜେଲରେ କାଟି ସାରିଛନ୍ତି । ସରଜିଲ ଇମାମକୁ ୩୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକା ଏବଂ ଏହି ସମାନ ରାଶିରେ କୋର୍ଟ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.