ବାଜ୍ୟାପ୍ତ ହେବ ସି-ସୋରର ୬୫୦ କୋଟି ଟଙ୍କାର ସଂପତ୍ତି, ନିର୍ଦ୍ଦେଶ ଦେଲେ ଅଦାଲତ

Published By : Prameya-News7 Bureau | February 26, 2021 IST

ଭୁବନେଶ୍ଵର ୨୬।୦୨:  ବହୁ ଚର୍ଚ୍ଚିତ ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ। ସି-ସୋରର ୬୫୦ କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ଲାଗି ଶୁକ୍ରବାର ସ୍ଵତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କମ୍ପାନୀର ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ଵିଣ୍ଟାଲ ରୂପା ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବ୍ୟାଙ୍କରେ ଜମା ୧ କୋଟି ୮୮ ଲକ୍ଷ ୭୫  ହଜାର ଟଙ୍କା ମଧ୍ୟ ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଜ୍ୟାପ୍ତ ସଂପତ୍ତିକୁ ସର୍ବସାଧାରଣରେ ନିଲାମ କରିବା ସହ ଏଥିରୁ ମିଳିବାକୁ ଥିବା ଅର୍ଥକୁ ଜମାକାରୀଙ୍କୁ ଫେରାଇ ଦେବାକୁ ନିର୍ଦ୍ଦେଶ ହୋଇଛି।

ସୂଚନାଯୋଗ୍ୟ, ୨୦୧୨ରେ ରାଜ୍ୟରେ ଚିଟ୍‌ଫଣ୍ଡ ସାମ୍ନାକୁ ଆସିଥିଲା। ଅଧିକ ସୁଧ ଦେବାର ଲୋଭ  ଦେଖାଇ ସି-ସୋର କମ୍ପାନୀ ଲକ୍ଷାଧିକ ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା। ହେଲେ ଜମାକାରୀଙ୍କୁ ଅର୍ଥ ଫେରାଇ ନେଇଥିଲା। ସି-ସୋର ଗ୍ରୁପ ପ୍ରାୟ ୫୦୦କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି । ଯାହାର ତଦନ୍ତ ୨୦୧୪ ମସିହାରୁ ଏହି ଠକେଇ ମାମଲାରେ ତଦନ୍ତ କରୁଛି ସିବିଆଇ । ଚିଟଫଣ୍ଡ ଦୁର୍ନୀତି ମାମଲାରେ ଏକାଧିକ ନେତା, ବିଧାୟକ, ପୂର୍ବତନ ମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ତଦନ୍ତ ଚାଲିଛି । କିଛି ନେତା ଜେଲ୍‌ ଯାଇ ମଧ୍ୟ ବେଲ୍‌ରେ ଫେରିଛନ୍ତି ।

ସି ସୋର ଲିଙ୍କ୍ ନେଇ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଗତ ବର୍ଷ ସେପ୍ଟେମ୍ବର ୧୮ରେ ରେଡ୍‌ କରିଥିଲା। ସି-ସୋର୍‌ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ପକ୍ଷରୁ ଦେବୀ ମିଶ୍ରଙ୍କ ଭୁବନେଶ୍ବର ୟୁନିଟ୍‌-୧ରେ ଥିବା ସରକାରୀ ବାସଭବନ ସହିତ ନରସିଂହପୁର, ଡମକଟାରେ ଥିବା ପୈତୃକ ଘରେ ମଧ୍ୟ ରେଡ୍‌ କରିଥିଲା। ସି-ସୋର୍‌ ମହାନଦୀ ପର୍ଯ୍ୟଟନ ପ୍ରକଳ୍ପକୁ ନେଇ ଖୋଳତାଡ଼ କରୁଥିବା ସିବିଆଇ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ୨ଘଣ୍ଟା ଧରି ଜେରା କରିବା ସହ ତାଙ୍କ ଘରୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.