୨୦ରୁ ଖୋଲିବ ସ୍କୁଲ, ଝାଡ଼ାବାନ୍ତି ବ୍ୟାପୁଥିବାରୁ ପିଲାଙ୍କୁ ନେଇ ଚିନ୍ତାରେ ଅଭିବାବକ

Published By : Prameya-News7 Bureau | June 17, 2025 IST

ଭୁବନେଶ୍ଵର: ଆସନ୍ତା ୨୦ ତାରିଖରୁ ଖୋଲିବ ସ୍କୁଲ । ସମସ୍ତ ବେସରକାରୀ ଓ ସରକାରୀ ସ୍କୁଲଗୁଡ଼ିକ ୨୦ ତାରିଖରେ  ଖୋଲିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏବେ ଯେତେବେଳେ ଝାଡ଼ାବାନ୍ତି ବ୍ୟାପୁଥିବାରୁ ୩୦ ଜିଲ୍ଲାକୁ ସତର୍କ ରହିବାକୁ ଆଲର୍ଟ କରାଯାଇଛି ସେତେବେଳେ ୨୦ ତାରିଖରେ କେମିତି ଖୋଲିବ ସ୍କୁଲ ? କାରଣ ସ୍କୁଲରେ ବିଶୁଦ୍ଧ ପିଇବା ପାଣି ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ଉପରେ ନଜର ଦେବାର ଆବଶ୍ୟକତା ଅଛି । 

ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଆସନ୍ତା ୨୦ ତାରିଖରେ ଖୋଲିବ ବୋଲି ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହା ଦ୍ବାରା  ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବା ତାରିଖକୁ ନେଇ ଯେଉଁ ଦ୍ବନ୍ଦ୍ବ ଥିଲା ତାହା ଦୂର ହୋଇଛି । ହେଲେ ଚିନ୍ତା ହେଉଛି ବିଭିନ୍ନ ଜିଲ୍ଲାରେ  ବ୍ୟାପୁଥିବା ଝାଡ଼ାବାନ୍ତିକୁ ନେଇ । ଏବେ ୫ଟି ଜିଲ୍ଲା ନୁହେଁ ପୂରା ୩୦ ଜିଲ୍ଲାକୁ ସତର୍କ ରହିବାକୁ ଆଲର୍ଟ କରିଛି ସ୍ବାସ୍ଥ୍ୟ ବିଭାଗ । କାରଣ ବିଭିନ୍ନ ଜିଲ୍ଲାରେ ମଧ୍ୟ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି ।

ଅନ୍ୟପଟେ ୨୦ ଯାଏଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏମିତିରେ ବର୍ଷା ପାଗ ଓ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା କଥା ଯେତେବେଳେ ସାମ୍ନାକୁ ଆସୁଛି ସେତେବେଳେ ଏହି ସମୟରେ ସ୍କୁଲ ଖୋଲିଲେ   ପିଲାମାନଙ୍କ ସ୍ବାସ୍ଥ୍ୟକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ିଛି ।  ତେବେ ମନ୍ତ୍ରୀ କହିଛନ୍ତି ସ୍କୁଲ ଖୋଲିବା ପୂର୍ବରୁ ପିଲାଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ, ସ୍ବଚ୍ଛ ଟଏଲେଟ୍ ଆଦିର ବ୍ୟବସ୍ଥା ଏବଂ ସ୍କୁଲ ପରିବେଶକୁ ସଫାସୁତରା ରଖିବା ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । 

ସେପଟେ ଅଭିଭାବକ ସଂଘର କହିବା ପଥା ସ୍କୁଲ ଖୋଲିଲେ ଆପତ୍ତି ନାହିଁ । କିନ୍ତୁ ସ୍କୁଲରେ ପିଲାମାନେ କିଭଳି ବିଶୁଦ୍ଧ ପାନୀୟ ଜଳ ପାଇବେ, ସ୍କୁଲର ପରିବେଶ କିଭଳି ସଫାସୁତରା ରହିବ, ମଧ୍ୟାହ୍ନ ଭୋଜନ କିଭଳି ସ୍ବାସ୍ଥ୍ୟକର ପରିବେଶ ଭିତରେ ପ୍ରସ୍ତୁତ ହେବ ଓ ପିଲାମାନଙ୍କୁ ଠିକ୍ ଢ଼ଙ୍ଗରେ ଦିଆଯିବ ତାହା ଉପରେ ସ୍କୁଲ କର୍ତ୍ତୃପକ୍ଷ ଗୁରୁତ୍ବ ଦେବା ଦରକାର । ଯେହେତୁ ବର୍ଷା ଦିନରେ ଅନେକ ପ୍ରକାର ରୋଗ ବ୍ୟାପିବାର ସମ୍ଭାବନା ରହିଛି ତେଣୁ ସ୍କୁଲର ବ୍ୟବସ୍ଥା ଓ ପରିବେଶ ମଧ୍ୟ ସ୍ବାସ୍ଥ୍ୟକର ହେବା ଦରକାର । ସରକାରଙ୍କ ହାତରେ ଆହୁରି ୩ ଦିନ ସମୟ ଅଛି । ତେଣୁ ପ୍ରତ୍ୟେକ ସ୍କୁଲରେ କିଭଳି ଛାତ୍ରଛାତ୍ରୀମାନେ ବିଶୁଦ୍ଧ ପାନୀୟ ଜଳ ପାଇବେ ସେ ନେଇ ତଦାରଖ ହେବା ଜରୁରୀ ।  

ବର୍ଷା ପାଗ ଯୋଗୁଁ ଡାଇରିଆ ଭଳି ବିଭିନ୍ନ ରୋଗ ବ୍ୟାପୁଥିବାରୁ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ବିଶୁଦ୍ଧ ପିଇବା ପାଣି ବ୍ୟବହାର ସହ ବାହାରର ଖାଦ୍ୟ ନଖାଇବାକୁ ଲୋକମାନଙ୍କୁ ପରାମର୍ଶ ଦେଉଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏମିତିରେ ପିଲାମାନଙ୍କ ଖାଦ୍ୟପେୟ ଉପରେ ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦେବା ଜରୁରୀ ହୋଇପଡ଼ିଛି । 

            

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.