ମହଙ୍ଗା ହେଲା ଲୋନ୍ ଓ ଇଏମଆଇ : ଏସବିଆଇର ବର୍ଦ୍ଧିତ ଏମସିଏଲଆର ପକାଇବ ପ୍ରଭାବ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ,୧୫/୮ :  ଦେଶର ସବୁଠୁ ବଡ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ଲୋନ୍ ନେବା ଏବେ ମହଙ୍ଗା ପଡିବ । ଗ୍ରାହକଙ୍କୁ ବଡ ଝଟକା ଦେଇ ବ୍ୟାଙ୍କ୍ ଏମଲିଏଲଆରରେ ବୃଦ୍ଧି କରିଛି । ଯାହା ଆଜି ଅର୍ଥାତ ଅଗଷ୍ଟ ୧୫ ତାରିଖରୁ ଲାଗୁ ହୋଇଛି । ବ୍ୟାଙ୍କର ଏହି ନିଷ୍ପତ୍ତିର ପ୍ରଭାବ ହୋମ୍, ଅଟୋ, ଘରୋଇ ଲୋନ୍ ଉପରେ ପଡିବ । ଏନେଇ କମ୍ପାନୀ ନିଜ ଓ୍ୱେବସାଇଟରେ ସମସ୍ତ ସୂଚନା ଦେଇଛି ।

ଏମସିଏଲଆରରେ ୧୦ ବିପିଏସ ବୃଦ୍ଧି

ଆରବିଆଇ ରେପୋ ଦରରେ ବୃଦ୍ଧି କରିବା ପରେ ଅଧିକାଂଶ ବ୍ୟାଙ୍କ୍ ଲୋନ ଉପରେ ସୁଧ ହାର ବୃଦ୍ଧି କରିଛନ୍ତି । ଏସବିଆଇ ମାସେ ପୂର୍ବରୁ ମଧ୍ୟ ସୁଦ୍ଧହାର ବଢାଇଥିଲା । ଯାହା ଆଜିଠୁ ଲାଗୁ ହୋଇଯାଇଛି । ଏବେ ବ୍ୟାଙ୍କ୍ ପୁଣି ନୋଟିଫିକେସନ ଜାରି କରି ମାର୍ଜିନାଲ୍ କଷ୍ଟ୍ ଅଫ୍ ଫଣ୍ଡ୍ ଲେଣ୍ଡିଂ ରେଟସ୍ ବା ଏମସିଏଲଆରରେ ୧୦ ବେସିସ୍ ପଏଣ୍ଟ୍ ବା ୦.୧୦ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଥିଲା । ଫଳରେ ପୂର୍ବରୁ ଦରଦାମ ବୃଦ୍ଧିର ସାମ୍ନା କରୁଥିବା ଲୋକଙ୍କ ପାଇଁ ଲୋନ୍ ନେବା ଆହୁରି ମହଙ୍ଗା ହୋଇଯାଇଛି ।

ନୂଆ ସୁଧ ହାର

ନୂଆ ରେପୋ ରେଟ୍ ପରେ ଏସବିଆଇର ତିନି ମାସର ଲୋନ୍ ଉପରେ ଏମସିଏଲଆର ୭.୦୫ରୁ ୭.୧୫କୁ ବଢିଛି । ୬ ମାସ ଅବଧି ବିଶିଷ୍ଟ ଲୋନରେ ଏମସିଏଲଆର ୭.୩୫ରୁ ୭.୪୫କୁ ବୃଦ୍ଧି ପାଇଛି । ସେହିପରି ଏକ ବର୍ଷର ଲୋନ୍ ଉପରେ ଏମସିଏଲଆର ୭.୪ରୁ ୭.୫କୁ ବୃଦ୍ଧି ପାଇଛି । ଏତତ୍ ବ୍ୟତୀତ ଦୁଇ ବର୍ଷର ଅବଧିରେ ଏମସିଏଲଆର ୭.୭ରୁ ବୃଦ୍ଧି ପାଇ ୭.୮ରେ ପହଁଚିଛି ।

ସବୁ ଲୋନ୍ ଉପରେ ପ୍ରଭାବ

ଏସିଏଲଆର ବୃଦ୍ଧି ପାଇଲେ ସବୁ ଲୋନ୍ ଉପରେ ପ୍ରଭାବ ପଡିଥାଏ । ଅଧିକାଂଶ ଲୋନ୍ ଏକ ବର୍ଷର ଅବଧି ପାଇଁ ହୋଇଥାଏ । ଏହା ବୃଦ୍ଧି ପାଇବା ପରେ ଗୃହ ଲୋନ୍, ପର୍ସନାଲ ଲୋନ୍ ଓ ଅଟୋ ଲୋନ୍ ମହଙ୍ଗା ହୋଇଯାଇଛି । ଲୋନ୍ ନେଇଥିବା ଗ୍ରାହକ ପୂର୍ବାପେକ୍ଷା ଅଧିକ ଇଏମଆଇ ପ୍ରଦାନ କରିବେ । ଫଳରେ ସେମାନଙ୍କ ଉପରେ ବୋଝ ବଢିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.