୨୦୨୪ ଲୋକସଭା ନିର୍ବାଚନକୁ ନେଇ ଶଶି ଥରୁରଙ୍କ ବଡ଼ ଭବିଷ୍ୟତବାଣୀ, କହିଲେ ବିଜେପିର ଘାଟା ହେବ ଏତିକି ସିଟ୍
14/01/2023 at 6:07 PM

କୋଝିକୋଡ ୧୪।୧: ଆଗାମୀ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ। ଏଣୁ ସବୁ ପାର୍ଟି ଏବେଠାରୁ କେନ୍ଦ୍ରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ନିର୍ବାଚନରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି କାର୍ଯ୍ୟକର୍ତ୍ତାଙ୍କ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏଥିରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ଲାଗି ଶନିବାର ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ବିଜେପି ୨୦୧୯ରେ ଯେପରି ସ୍ପଷ୍ଟ ବହୁମତ ପାଇଥିଲା ସେପରି ଚମତ୍କାର ୨୦୨୪ରେ କରିପାରିବନି। ସେ କହିଛନ୍ତି ଯେ ଏଥର ନିର୍ବାଚନରେ ବିଜେପିର ୫୦ ସିଟ୍ କ୍ଷତି ହେବା ଥୟ।
ଉଲ୍ଲେଖଯୋଗ୍ୟ ଯେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୩୦୩ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଯଦି ଥରୁରଙ୍କ ଭବିଷ୍ୟତବାଣୀ ସଠିକ ପ୍ରମାଣିତ ହୁଏ ତେବେ ବିଜେପି ୨୫୦ ଆସନ ସହ କେନ୍ଦ୍ରରେ ପୁଣି ସରକାର କରିଦେଇ ପାରିବ। କାରଣ ବିଜେପିକୁ ତାର ଏନଡିଏ ସହଯୋଗୀଙ୍କୁ ନେଇ ସରକାର କରିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ଏମିତିରେ ବି କେନ୍ଦ୍ରରେ ସରକାର ଗଢିବା ଲାଗି କୌଣସି ମେଣ୍ଟ ଦଳକୁ ୨୭୨ ଆସନର ଆବଶ୍ୟକତା ରହୁଛି।

କେରଳରେ ଅନୁଷ୍ଠିତ ଏକ ସାହିତ୍ୟ କାର୍ଯ୍ୟକ୍ରମ ଅବସରରେ ତିରୁଅନନ୍ତପୁରମ ସାଂସଦ ଶଶି ଥରୁର କହିଛନ୍ତି ଯେ ବିଜେପି ଲଗାତାର ଅନେକ ରାଜ୍ୟରେ କ୍ଷମତା ହରାଇଚାଲିଛି। ଏଣୁ କେନ୍ଦ୍ରରେ କ୍ଷମତା ହରାଇବା କୌଣସି ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଥରୁର କହିଛନ୍ତି ଯେ ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଓ ସେତେବେଳେ ହରିୟାଣା, ଗୁଜରାଟ ଓ ରାଜସ୍ଥାନରେ ସବୁ ଆସନରୁ ବିଜେପି ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ସେହିପରି ବିହାର, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଦଳ ମାତ୍ର ଗୋଟିଏ ଆସନକୁ ଛାଡି ସବୁଥିରେ ବିଜୟୀ ହୋଇଥିଲା।
ଏହା ଛଡା ପଶ୍ଚିମବଙ୍ଗରେ ମଧ୍ୟ ବିଜେପିକୁ ୧୮ଟି ଆସନ ମିଳିଥିଲା। ହେଲେ ଏଥର ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ଏପରି ଚମତ୍କାର କରିବା ବିଜେପି ପକ୍ଷେ ସମ୍ଭବ ହୋଇନପାରେ। ଏଣୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତାରୁ ଅନେକ ତଳେ ରହିପାରେ ବୋଲି ଥରୁର ଆକଳନ କରିଛନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ପୁଲବାମା ଆତଙ୍କବାଦୀ ଆକ୍ରମଣ ଓ ଏହାକୁ ନେଇ ବାଲାକୋଟ୍ ବିମାନ ଆକ୍ରମଣ ସାରା ଦେଶରେ ବିଜେପି ଲାଗି ଏକ ଜବରଦସ୍ତ ଲହର ସୃଷ୍ଟି କରିଥିଲା। ଏଣୁ ବିଜେପିକୁ ବେଶ୍ ଅଧିକ ଲାଭ ମିଳିଥିଲା। ହେଲେ ଏହାକୁ ୨୦୨୪ରେ ଦୋହରାଇବା ପାର୍ଟି ପକ୍ଷେ ସମ୍ଭବ ହେବନି ବୋଲି ଥରୁର କହିଛନ୍ତି।
ଥରୁର କହିଛନ୍ତି ଯେ ନିର୍ବାଚନରେ ବିଜେପିର ୫୦ ସିଟ୍ କ୍ଷତି ହେବା ଥୟ। ଯାହାର ସିଧା ଲାଭ ବିରୋଧୀ ଦଳମାନଙ୍କୁ ମିଳିବ। ସେ କହିଛନ୍ତି ଯେ ଯଦି ବିଜେପିକୁ ବିରୋଧୀ ଦଳ ୨୫୦ ଆସନରେ ଜଗି ଦିଅନ୍ତି ତେବେ ଅନ୍ୟମାନଙ୍କ ନିକଟରେ ମୋଟ ୨୯୦ଟି ଆସନ ରହିବ। ତେବେ ବିଜେପିକୁ ଛାଡି ୨୯୦ ସିଟ୍ ର ବିରୋଧୀ ଦଳମାନେ ପରସ୍ପର ସହ ମେଣ୍ଟ କରିପାରିବେ କି ନା ସେ ନେଇ ଥରୁର ସ୍ପଷ୍ଟ କିଛି କହି ନାହାନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୩୦୩ ଆସନର ସ୍ପଷ୍ଟ ବହୁମତ ମିଳିଥିବା ବେଳେ କଂଗ୍ରେସକୁ ୫୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା।