ଆଇବିଏମ ପରେ ଏବେ SAP କରିବ ୩ ହଜାର କର୍ମଚାରୀଙ୍କ ଛଟେଇ, କହିଲା ଏହି କାରଣ...

Published By : Prameya-News7 Bureau | January 26, 2023 IST

ନୂଆଦିଲ୍ଲୀ, ୨୬/୦୧: ଆର୍ଥିକ ମାନ୍ଦାବସ୍ଥାର ଭୟ ମଧ୍ୟରେ ହଜାର ହଜାର କର୍ମଚାରୀଙ୍କ ଛଟେଇ କରୁଛନ୍ତି ବିଭିନ୍ନ କମ୍ପାନୀ। ଆମାଜନ୍‌, ମାଇକ୍ରୋସଫ୍ଟ, ଗୁଗଲ, ଆଇବିଏମ ଭଳି ଅନେକ ବଡ଼ ବଡ଼ କମ୍ପାନୀ କର୍ମଚାରୀଙ୍କ ଛଟେଇ କରିଛନ୍ତି । ଆଉ ଏବେ ଏଥିରେ ଆଉ ଏକ କମ୍ପାନୀର ନାମ ଯୋଡ଼ି ହୋଇଛି। ଜର୍ମାନୀର ସଫ୍ଟଓୟାର କମ୍ପାନୀ ଏସଏପି ଉପ​‌ରେ ମଧ୍ୟ ମାନ୍ଦାବସ୍ଥାର ପ୍ରଭାବ ଦେଖିବାକୁ ମିଳିଛି। କମ୍ପାନୀ ଆଗାମୀ ଦିନରେ କମ୍ପାନୀରୁ ତିନି ହଜାର କର୍ମଚାରୀଙ୍କୁ ଛଟେଇ କରିବା​‌ ନେଇ ଗୁରୁବାର ସୂଚନା ଦେଇଛି।

ଉଭୟ ପାରମ୍ପରିକ ସଫ୍ଟଓୟାର ଏବଂ କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ ସେବା ଯୋଗାଉଥିବା ଏହି କମ୍ପାନୀ ଏବେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ତେବେ ନିଜର ମୁଖ୍ୟ ବ୍ୟବସାୟକୁ ମଜବୁତ କରିବା ଏବଂ ଦକ୍ଷତାରେ ସୁଧାର କରିବା ପାଇଁ କମ୍ପାନୀର ନିର୍ଦ୍ଦିଷ୍ଟ ପୁର୍ନଗଠନ ଯୋଜନା ଅନ୍ତର୍ଗତ ଏପରି କରାଯାଇଥିବା ନେଇ କମ୍ପାନୀ ତରଫରୁ କୁହାଯାଇଛି।

ରପୋର୍ଟ ଅନୁଯାୟୀ, ୨୦୨୨ ରେ କମ୍ପାନୀ ଏହାର ଏକ ରିପୋର୍ଟରେ କହିଥିଲା ଯେ ଏହି ପ୍ରୋଗ୍ରାମ୍‌ ଦ୍ବାରା ଏସଏପିର ପ୍ରାୟ ୨.୫ ପ୍ରତିଶତ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। ବିଶ୍ବରେ ବର୍ତ୍ତମାନ ଏସଏପି ସହ ୧, ୨୦ ହଜାର କର୍ମଚାରୀ ରହିଛନ୍ତି। ଯେଉଁଥିରୁ ୨.୫ ପ୍ରତିଶତ ଅଥବା ୩ ହଜାର କର୍ମଚାରୀଙ୍କ ଛଟେଇ କରିବାକୁ ପ୍ରସ୍ତୁତି କରୁଛି କମ୍ପାନୀ।

ସୂଚନାଯୋଗ୍ୟ, ଗୁରୁବାର ଆଇବିଏମ ମଧ୍ୟ କମ୍ପାନୀରୁ ୩୯୦୦ କର୍ମଚାରୀଙ୍କୁ ଛଟେଇ କରିଛି। ନିକଟରେ ଦୁଇ ବଡ଼ ଟେକ୍ କମ୍ପାନି ଗୁଗଲ ଏବଂ ମାଇକ୍ରୋସଫ୍ଟ ହଜାର ହଜାର କର୍ମଚାରୀଙ୍କ ଛଟେଇ କରିଛନ୍ତି। ଉଭୟ ଗୁଗଲ ସିଇଓ ଏବଂ ମାଇକ୍ରୋସଫ୍ଟ ସିଇଓ ଛଟେଇ ନେଇ କହିବା ସହ ଗତ କିଛି ବର୍ଷରେ କମ୍ପାନୀ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରିଥିବା ନେଇ ସଙ୍କେତ ଦେଇଛନ୍ତି। ସେହିପରି ଏହା ପୂର୍ବରୁ ଆମାଜନ୍‌, ନେଟଫ୍ଲିକ୍ସ, ମେଟା କମ୍ପାନୀମାନନେ ମଧ୍ୟ ବଡ଼ ଆକାରରେ କର୍ମଚାରୀଙ୍କ ଛଟେଇ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.