ନୂଆଦିଲ୍ଲୀ ୧୦/୦୭: ବଲିଉଡ ଅଭିନେତା ସଲମାନ ଖାନ । ଆଗାମୀ ଫିଲ୍ମ ଗଲୱାନର ସୁଟିଂରେ ସେ ପୁରା ପ୍ୟାକ୍ । ଖୁବ୍ ବୁହାଉଛନ୍ତି ଝାଳ । ନିଜକୁ ଫିଟ୍ ରଖିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ୫୯ ବର୍ଷୀୟ ସଲମାନ ଫିଲ୍ମରେ ଜଣେ ସୈନିକ ଭୂମିକାରେ ଅଭିନୟ କରୁଛନ୍ତି । ଯିଏକି ଗଲୱାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସଂଘର୍ଷର ଥିଲେ ଅଂଶ ।
ରିପୋର୍ଟ କହୁଛି ଯେ ସଲମାନ ତାଙ୍କ ଫିଟନେସ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଯାହା ଦ୍ଵାରା ସେ ଏହି ଭୂମିକା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇପାରିବେ । ଆଗାମୀ କିଛି ସପ୍ତାହ ମଧ୍ୟରେ ଲେହ ଉପତ୍ୟକାର କିଛି ଅଞ୍ଚଳରେ ସୁଟିଂ କରିବେ । ଯାହା ସଲମାନଙ୍କ ଉପରେ ଅଧିକ ଚାପ ପକାଇବ । ଫିଲ୍ମର ପ୍ରଥମ ସିଡ୍ୟୁଲ୍ ଲେହରେ ହେବ । ସଲମାନଙ୍କ ଜଣେ ବ୍ୟକ୍ତିଗତ ପ୍ରଶିକ୍ଷକ ଅଛନ୍ତି ଯିଏ ତାଙ୍କ ଫିଟ୍ନେସ୍ ପାଇଁ ସପୋର୍ଟ କରୁଛନ୍ତି ।
ନିଜକୁ ଫିଟ୍ ରଖିବାକୁ ସଲମାନ ତାଙ୍କ ଲାଇଫ୍ ଷ୍ଟାଇଲ୍ରେ ଅନେକ ପରିବର୍ତ୍ତନ କରିଛନ୍ତି । ସେ ମଦ୍ୟପାନ ଛାଡ଼ିବା ସହ ଖାଦ୍ୟରେ କାର୍ବୋହାଇଡ୍ରେଟ୍ ପରିମାଣ ବି କମାଇ ଦେଇଛନ୍ତି । କହିବାକୁ ଗଲେ 'ସିକନ୍ଦର' ଫିଲ୍ମ ପରେ, ସଲମାନ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ ସତର୍କ ଅଛନ୍ତି । ସେ ଓଜନ କମାଇବା ସହ ଅଧିକ ଫିଟ୍ ଓ ସ୍ଲିମ୍ ଦେଖାଯିବାକୁ କସରତ କରୁଛନ୍ତି । ରେଗୁଲାର ଏକ୍ସରସାଇଜ ବ୍ୟତୀତ ସଲମାନ ଜିମ୍ରେ ହାଇ ପ୍ରେସର ଚାମ୍ବରରେ ଦୌଡ଼ିବା ସହ କାର୍ଡିଓ ବି କରୁଛନ୍ତି ।
ଲେହର କଠିନ ଭୂମିରେ ତାଙ୍କ ଶରୀର ଯେପରି ଆଡଜଷ୍ଟ ହୋଇପାରିବ ସେ ସେପରି ନିଜକୁ ପ୍ରସ୍ତୁତ କରୁଛନ୍ତି । ସଲମାନ ଷ୍ଟ୍ରିଟ୍ ଡାଏଟ୍ ପାଳନ କରୁଛନ୍ତି । ଜଙ୍କ୍ ଫୁଡ୍ ଓ ଫିଜି ପାନୀୟରୁ ବି ନିଜକୁ ଦୂରେଇ ରହୁଛନ୍ତି । ଅପୂର୍ବ ଲାଖିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମରେ ସଲମାନଙ୍କ ସହିତ ନଜର ଆସିବେ ଚିତ୍ରାଙ୍ଗଦା ସିଂହ ।
କହିବାକୁ ଗଲେ କଠୋର ଫିଟନେସର ଏହି ବ୍ୟବସ୍ଥା ସଲମାନଙ୍କ ପାଇଁ ବେଶ୍ କଷ୍ଟସାଧ୍ୟ । ନିକଟରେ ସେ କହିଥିଲେ ଯେ ଏକ ଦୁର୍ଘଟଣା ଯୋଗୁଁ ତାଙ୍କର ପଞ୍ଜରା ଭାଙ୍ଗିଯାଇଛି। ଏମିତିକି 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ରେ ସଲମାନ କହିଥିଲେ ଯେ, ସେ ପଞ୍ଜରା ଭାଙ୍ଗିଯାଇଛି । ତଥାପି ସେ ନିରନ୍ତର କାମ ଜାରି ରଖିଛନ୍ତି । ସଲମାନ ଏହା ମଧ୍ୟ କହିଥିଲେ ଯେ ସେ ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ ଓ ବ୍ରେନ୍ ଏନିଉରିଜମ୍ ଭଳି ଗମ୍ଭୀର ରୋଗରେ ମଧ୍ୟ ପୀଡିତ । ତଥାପି ସେ ସୁଟିଂ କରିବା ସହ ନିଜର କାମ ଜାରି ରଖିଛନ୍ତି।