ଜୟପୁର ୧୨।୭: ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଦ୍ୟପଙ୍କ ଆତଙ୍କରାଜ । ରାତି ଅଧରେ ଡାକ୍ତରଖାନାରେ ପଶି ଜୋର ଜବରଦସ୍ତ ଚିକିତ୍ସାଧିନ ଶିଶୁଙ୍କ ହାତରୁ ଖୋଲିଦେଲେ ସାଲାଇନ୍ । ଏଥିରେ ପ୍ରତିବାଦ କରିବାରୁ ଡାକ୍ତରଖାନାର କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ୪ ଜଣ ମଦ୍ୟପ । ପୁରା ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।
ସୂଚନା ଅନୁଯାୟୀ, ଜୁଲାଇ ୭ ତାରିଖ ରାତି ପାଖାପାଖି ୧୨ଟା । ହଠାତ୍ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟକୁ ପସିଗଲା ଜଣେ ଦୁର୍ବୃତ୍ତ । କେହି କିଛି ବୁଝିବା ପୂର୍ବରୁ ସିଧାସଳଖ ଶିଶୁ ବିଭାଗ ଓ୍ବାର୍ଡ ଭିତରକୁ ଯାଇ ଚିକିତ୍ସାଧିନ ଜଣେ ଶିଶୁର ସାଲାଇନ୍ ହଠାତ ଖୋଲିବାକୁ ସୁରକ୍ଷାକର୍ମୀଙ୍କୁ କହିଲେ । ଏଥିରେ ପ୍ରତିବାଦ କରିବାରୁ କାର୍ଯ୍ୟରତ ଆଟେଣ୍ଡାଣ୍ଟକୁ ସିଧା ଆକ୍ରମଣ କଲା । ପରେ ଫୋନ କରି ଆଉ ୩ ଜଣ ଦୁର୍ବୃତ୍ତଙ୍କୁ ଡାକି ସେଠାରେ ଥିବା ଡାକ୍ତରଖାନାର ଅନ୍ୟ କର୍ମଚାରୀଙ୍କ ଉପରେ ଏହି ୪ ଜଣ ମଦ୍ୟପ ଆକ୍ରମଣ କଲେ । ଏଥିରୁ ବାଦ ପଡିଲେନି ମହିଳା କର୍ମଚାରୀ । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଆଧାରରେ ଡାକ୍ତରଖାନା କର୍ତ୍ତୃପକ୍ଷ ଜୟପୁର ସଦର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ପୁରା ଘଟଣା ଘରୋଇ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ହୋଇଛି । ଘଟଣା ପରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଡାକ୍ତରଖାନାର କର୍ମଚାରୀ ଭୟଭୀତ ହୋଇ ପଡିଛନ୍ତି । ତୁରନ୍ତ ଏଠାରେ ସ୍ଥାୟୀ ପୋଲିସ ଫାଣ୍ଡି ଖୋଲିବା ସହ ଦୁର୍ବୃତ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।
ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା । ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହର ବାହାରେ ଥିବାରୁ ଅନେକ ସମୟରେ ଏଠାରେ ବିଶୃଙ୍ଖଳା ହେଉଥିଲା । କେତେବେଳେ ଏଠାରେ ଲୁଟ୍ ତ ଆଉ କେତେବେଳେ ଡାକ୍ତରଙ୍କୁ ଆକ୍ରମଣ । ତେଣୁ ଏଠାରେ ସ୍ଥାୟୀ ପୋଲିସ ଫାଣ୍ଡି ଖୋଲିବାକୁ ଦାବି ହୋଇ ଆସୁଛି । ଏହି ଘଟଣା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ସଦର ଥାନାରେ ଏତଲା ଦେଇଥିଲେ ବି କର୍ମଚାରୀ ଓ ରୋଗୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏପରି ସ୍ଥିତିରେ ଏଠାରେ କାମ କରିବା କଷ୍ଟସାଧ୍ୟ ବୋଲି ସେ କହିଛନ୍ତି ।
You Can Read: