ବିଜୟ ଦିବସରେ ଦେଶବାସୀଙ୍କୁ ପୁଟିନ୍‌ଙ୍କ ସମ୍ବୋଧନ, କହିଲେ- ରୁଷ ନିଜ ସାର୍ବ​‌ଭୌମତ୍ବ ପାଇଁ ଲଢ଼ୁଛି

Published By : Prameya-News7 Bureau | May 09, 2023 IST

ନୂଆଦିଲ୍ଲୀ, ୦୯/୦୫: ୟୁକ୍ରେନ ବିରୋଧରେ ଯୁଦ୍ଧ ଜାରି ରଖିଛି ରୁଷ। ପ୍ରାୟ ୧୪ ମାସରୁ ଅଧିକ ସମୟ ଧରି ଲାଗିରହିଛି ଯୁଦ୍ଧ। ଏହାରି ମଧ୍ୟରେ ରୁଷ ଏହାର ବିଜୟ ଦିବସ ପାଳନ କରୁଛି। ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍‌ ମଙ୍ଗଳବାର ବିଜୟ ଦିବସ ପରେଡକୁ ସମ୍ବୋଧନ କରିଛନ୍ତି। ମସ୍କୋର ରେଡ୍‌ ସ୍କୋୟାରରେ ଦେଶକୁ ସମ୍ବୋଧିତ କରି ପୁଟିନ୍‌ କହିଛନ୍ତି ରୁଷ ବିରୋଧରେ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇଯାଇଛି।

ବିଜୟ ଦିବସ ପରେଡରେ ସାମିଲ ହୋଇଥିବା ସୈନିକଙ୍କୁ ସ୍ବାଗତ କରିବା ସହ ସମ୍ବୋଧନରେ ଯୁଦ୍ଧକୁ ନେଇ କହିଛନ୍ତି ‘‘ଆଜି ସଭ୍ୟତା ପୁଣି ଥରେ ନିର୍ଣ୍ଣାୟକ ମୋଡ଼ରେ ଛିଡ଼ା ହୋଇଛି। ଆମର ମାତୃଭୂମି ବିରୋଧରେ ଏକ ବାସ୍ତବିକ ଯୁଦ୍ଧ ଆରମ୍ଭ ହୋଇଛି।’’ ପୁଟିନ୍‌ ଆହୁରି କହିଛନ୍ତି ରୁଷ ନିଜ ସାର୍ବଭୌମତ୍ବର ରକ୍ଷା କରୁଛି। ରୁଷ ଏକ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଚାହୁଛି।

ଆହୁରି ମଧ୍ୟ ସମ୍ବୋଧନରେ ପୁଟିନ ପଶ୍ଚିମ ଦେଶଙ୍କୁ ଟାର୍ଗେଟ କରିଛନ୍ତି। ପଶ୍ଚିମ ଦେଶଙ୍କୁ ଘୃଣା ମଞ୍ଜି ବୁଣୁଥିବା ବୋଲି କହିଛନ୍ତି। ଏମାନଙ୍କ ଲକ୍ଷ୍ୟ ରୁଷର ପତନ। ତେବେ ପୁଟିନ୍‌ଙ୍କ ଏହି ବୟାନକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ରୁଷ ସୈନିକଙ୍କୁ ସମ୍ବୋଧନ କରି ପୁଟିନ କହିଛନ୍ତି ଦେଶର ସୁରକ୍ଷା ଆଗ ଧାଡ଼ିରେ କାମ କରୁଥିବା ସୈନିକଙ୍କ ଉପରେ ନିର୍ଭର କରୁଛି। ରୁଷର ଭବିଷ୍ୟ ଏହି ଲୋକଙ୍କ ଉପରେ ନିର୍ଭର କରୁଛି। ଆମେ ଏହି ସୈନିକଙ୍କ ଉପରେ ଗର୍ବିତ। ନିଜ ଅଧିକାର ପାଇଁ ୟୁକ୍ରେନ ଠାରୁ ଯୁଦ୍ଧ ଲଢ଼ୁଛୁ। ଯାହା ନାଜି କରୁଥିଲେ ପଶ୍ଚିମ ଦେଶ ତାହା କରୁଛି। ଦେଶର ସବୁ ନାଗରିକ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।

ସୂଚନାଥାଉକି, ରୁଷ ଏବଂ ଏବଂ ୟୁକ୍ରେନ ମଧ୍ୟରେ ଗତ ବର୍ଷ ୨୪ ଫେବ୍ରୁଆରୀରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଆରମ୍ଭରେ ୟୁକ୍ରେନ୍‌ କିଛିଟା ଦୁର୍ବଳ ପଡ଼ିଥିଲା କିନ୍ତୁ ଆମେରିକା, ବ୍ରିଟେନ୍‌ ସହ ଅନେକ ଦେଶ ତରଫରୁ ସୈନ୍ୟ ସହାୟତା ପରେ ଲଢ଼େଇ ଏବେବି ଯୁଦ୍ଧ ଜାରି ରଖିଛି। ୧୪ ମାସରୁ ଅଧିକ ସମୟରୁ ଯୁଦ୍ଧ ଲାଗିରହିଛି। କିନ୍ତୁ ଏପର୍ଯ୍ୟନ୍ତ ଯୁଦ୍ଧ ଶେଷ ହୋଇନାହିଁ କି ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାମଣା ମଧ୍ୟ ହୋଇପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.