ବ୍ଲୁମବର୍ଗ : ଇଟାଲୀର ରାଜଧାନୀ ରୋମ୍ରେ ଯେତେବେଳେ ବିଶ୍ୱର ନେତାମାନେ ୟୁକ୍ରେନର ଯୁଦ୍ଧ ପରେ ପୁନଃ ନିର୍ମାଣକୁ ନେଇ ଆଲୋଚନା କରିବାକୁ ଏକାଠି ହୋଇଛନ୍ତି, ଏହି ସମୟରେ ରୁଷ୍ ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନେକ ଅଞ୍ଚଳ ଉପରେ ଭୟଙ୍କର ବିମାନ ଆକ୍ରମଣ କରିଛି। ୟକ୍ରେନୀ ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି କହିଛନ୍ତି ଯେ, ପାଖାପାଖି ୪୦୦ ଡ୍ରୋନ୍ ଓ ୧୮ଟି ମିସାଇଲ ମାଡ଼ କରାଯାଇଛି। ଯେଉଁଥିରେ ବାଲିଷ୍ଟିକ୍ ମିସାଇଲ ମଧ୍ୟ ସାମିଲ ଥିଲା। ହମଲାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି।
ଜେଲେନସ୍କି ଏହି ଆକ୍ରମଣକୁ ‘ ରୁଷ୍ ପକ୍ଷରୁ ଆତଙ୍କାବାଦୀର ସ୍ପଷ୍ଟ ବୃଦ୍ଧି’ ଦର୍ଶାଇଛନ୍ତି। ଏହି ଆକ୍ରମଣ ପାଖାପାଖି ୧୦ଘଣ୍ଟା ଯାଏ ଚାଲିଥିଲା ଏବଂ ଲଗାତାର ଦ୍ୱିତୀୟ ରାତି ରୁଷ୍ ପକ୍ଷରୁ ହମଲା କରାଯାଇ ଥିଲା। ଏହି ହମଲା ଦର୍ଶାଏ ଯେ, ରୁଷ୍ ବର୍ତ୍ତମାନ ଯୁଦ୍ଧ ବିରତି କଥା କହିବାର ମୁଡ୍ରେ ନାହିଁ।
ପୁଟିନଙ୍କର ସମାଲୋଚନା କଲେ ଟ୍ରମ୍ପ –
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚନା କରି କହିଛନ୍ତି ଯେ, ସେ ବହୁତ ଅଧିକ ଲୋକଙ୍କ ଜୀବନ ନେଉଛନ୍ତି ଏବଂ ଏହି କାରଣରୁ ଆମେରିକା ୟୁକ୍ରେନକୁ ପୁଣି ଥରେ ଅସ୍ତ୍ର ପଠାଇବ। ଟ୍ରମ୍ପ ଏହି ବୟାନ ଏମିତି ସମୟରେ ଦେଇଛନ୍ତି, ଯେତେବେଳେ ସେ ଲଗାତାର ଯୁଦ୍ଧ ରୋକିବାକୁ ଚେଷ୍ଟା କରୁଛନ୍ତି। ୨୦ ଜାନୁୟାରୀରେ ରାଷ୍ଟ୍ରପତି ହେବା ପର ଠାରୁ ସେ ପାଖାପାଖି ୬ଟି ବିଫଳ ପ୍ରୟାସ କରି ସାରିଛନ୍ତି।
ରୋମ ସମ୍ମିଳନୀର ଏଜେଣ୍ଡା –
ରୋମ୍ରେ ଚାଲୁଥିବା ୪ର୍ଥ ୟୁକ୍ରେନ ପୁନଃନିର୍ମାଣ ସମ୍ମିଳନୀରେ ଏବେ ଚର୍ଚ୍ଚାର କେନ୍ଦ୍ର ‘ପୁନଃନିର୍ମାଣ କେମିତି କରିବେ’ ନୁହେଁ, ବରଂ ‘ୟୁକ୍ରେନକୁ ଜୀବନ୍ତ କେମିତି ରଖା ଯିବ’ ରହିଛି। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ସମ୍ମଳନୀକୁ ଆୟୋଜନ କରିଛନ୍ତି , ମେଲୋନୀଙ୍କୁ ଟ୍ରମ୍ପଙ୍କ ନିକଟର ଭାବେ ଜଣାଯାଏ। ତାଙ୍କ ସହ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋନ୍, ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର ଓ ଆମେରିକୀୟ ବିଶେଷ ଦୂତ କିଥ୍ କେଲିଗ୍ ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି।