ଡଙ୍ଗା ଉପରକୁ ଡେଇଁ ମତ୍ସ୍ୟଜୀବୀଙ୍କୁ ଟାଣିନେଲା ମହାବଳ, ଉଦ୍ଧାର ହେଲା କ୍ଷତବିକ୍ଷତ ମୃତଦେହ
30/04/2020 at 7:15 PM

କୋଲକାତା, ୩୦|୦୪: ପଶ୍ଚିମବଙ୍ଗର ସୁନ୍ଦରବନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ମହାବଳ ବାଘ ମାଛଧରା ଡଙ୍ଗା ଉପରକୁ ଡେଇଁବା ସହ ୪୫ ବର୍ଷୀୟ ଜଣେ ମତ୍ସ୍ୟଜୀବୀଙ୍କୁ ଜଙ୍ଗଲ ମଧ୍ୟକୁ ଟାଣି ନେଇଛି ।

ସୂଚନାନୁସାରେ, ରାଜ୍ୟର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ଗୋସବା ଲାହିରିପୁର ଗ୍ରାମରେ ୩ଜଣ ମତ୍ସ୍ୟଜୀବୀ ବୁଧବାର ସକାଳେ ମାଛ ମାରିବା ପାଇଁ ସୁନ୍ଦରବନରେ ପ୍ରବେଶ କରିଥିଲେ । ସେମାନେ କାଲିଚରରେ ମାଛ ମାରୁଥିଲେ । ଏହି ସମୟରେ ଏକ ମହାବଳ ବାଘ ଡଙ୍ଗାକୁ ଡେଇଁବା ସହ ସୁଜିତ ମଣ୍ଡଲ ନାମକ ଜଣେ ମତ୍ସ୍ୟଜୀବୀଙ୍କୁ ଜଙ୍ଗଲ ମଧ୍ୟକୁ ଟାଣି ନେଇଥିଲା ।

ସୁଜିତଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି । ଘରେ ତାଙ୍କର ପତ୍ନୀ ଓ ଏକ ପୁତ୍ର ରହିଛନ୍ତି । ତେବେ ସୁନ୍ଦରବନ ବିଶ୍ୱର ସବୁଠାରୁ ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲ । ଏହା ଭାରତ ଓ ବାଂଲାଦେଶରେ ମଧ୍ୟ ବ୍ୟାପିଛି । ଏଠାରେ ଅଧିକ ସଂଖ୍ୟାକ ମହାବଳ ବାଘ ବାସ କରନ୍ତି ।