କଟକ: ରୋହିତ ଶର୍ମାଙ୍କ ଦମଦାର ଶତକ। ଛକା ମାରି ଶହେ କଲେ ହିଟ୍ ମ୍ୟାନ୍। କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ODI ସିରିଜର ଦ୍ୱିତୀୟ ମ୍ୟାଚରେ ରୋହିତ ଶତକ ହାସଲ କରିଛନ୍ତି। ଦୀର୍ଘ ଦିନ ଧରି ଫର୍ମ ସହ ସଂଘର୍ଷ କରୁଥିବା ରୋହିତ, ଏବେ ତାଙ୍କ ବ୍ୟାଟରୁ ରନ୍ ସ୍କୋର କରିବା ଆରମ୍ଭ ହୋଇଛି।
ରୋହିତ ଶର୍ମା ୭୬ ବଲରେ ଶତକ ପୂରଣ କରିଛନ୍ତି। ଦିନିକିଆରେ ଏହା ତାଙ୍କର ୩୨ ତମ ଶତକ। ଅନ୍ତର୍ଜାତୀୟ କ୍ରିକେଟରେ ୪୯ତମ ଶତକ। ତାଙ୍କ ଶତକରେ ପହଞ୍ଚିବାବେଳେ ରୋହିତ ୯ ଚୌକା ଓ ୭ ଛକା ମାରିଥିଲେ। ରୋହିତ ଶର୍ମା ଆଦିଲ ରସିଦଙ୍କ ବଲରେ ଛକା ମାରି ଶତକ ପୂରଣ କରିଥିଲେ। ୯୦ ବଲ୍ରେ ୧୧୯ ରନ୍ କରି ଆଉଟ୍ ହୋଇଛନ୍ତି।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର୍ । ଇଂଲଣ୍ଡ ପାଇଁ ଦୁଇ ଓପନର୍ ଫିଲିପ ସଲ୍ଟ ଏବଂ ବେନ୍ ଡକେଟ୍ ଧୂଆଁଧାର ଆରମ୍ଭ କରିଥିଲେ । ଦୁହିଁଙ୍କ ମଧ୍ୟରେ ୮୧ ରନ୍ ପାର୍ଟନରଶିପ୍ ହୋଇଥିଲା । ପିଲିପ ସଲ୍ଟ ବ୍ୟକ୍ତିଗତ ୨୬ ରନ୍ରେ ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଜାଡେଜାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ।
ଏହାପରେ ବେନ୍ ଡକେଟ୍ (୬୫), ଜୋ ରୁଟ୍ (୬୯), ଜାମି ଓଭରଟନ୍ (୬)ଙ୍କୁ ପାଭିଲିୟନ ପଠାଇଥିଲେ ଜାଡେଜା । ହ୍ୟାରି ବ୍ରୁକ୍ ୩୧, ଜୋଶ ବଟଲର୍ ୩୪, ଲିୟାମ ଲିଭିଙ୍ଗଷ୍ଟନ ୪୧ ରନ୍ କରି ଆଉଟ୍ ହୋଇଥିଲେ । ଇଂଲଣ୍ଡର ତିନି ଖେଳାଳି ରନ୍ ଆଉଟ୍ ହୋଇଥିଲେ । ଅନ୍ୟପଟେ ଭାରତ ପାଇଁ ରବିନ୍ଦ୍ର ଜାଡେଜା ସବୁଠୁ ଅଧିକ ୩ ୱିକେଟ୍ ମିଳିଛି । ମହମ୍ମଦ ଶାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।