ବିବାହ କରିବେ OYO ପ୍ରତିଷ୍ଠାତା: ପ୍ରଧାନମନ୍ତ୍ରୀଙ୍କୁ ଦେଲେ ନିମନ୍ତ୍ରଣ
19/02/2023 at 4:16 PM

ନୂଆଦିଲ୍ଳୀ, ୧୯/୦୨: ବିବାହ କରିବାକୁ ଯାଉଛନ୍ତି ଓୟୋ ସଂସ୍ଥାପକ ତଥା ସିଇଓ ରିତେଶ ଅଗ୍ରଓ୍ବାଲ। ଚଳିତ ବର୍ଷ ମାର୍ଚ୍ଚରେ ମାସରେ ରିତେଶ ବିବାହ କରିବାକୁ ଯାଉଥିବା ନେଇ କୁହାଯାଉଛି। ତେବେ ଏହାରି ମଧ୍ୟରେ ରିତେଶ ନିଜ ବିବାହ ନିମନ୍ତ୍ରଣ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି। ଆଉ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମୟର କିଛି ଫଟୋ ରିତେଶ ଟ୍ବିଟରରେ ସେୟାର କରିଛନ୍ତି। ସେ ନିଜ ମାଆ ଏବଂ ଭାବି ପତ୍ନୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି।
ଏହି ସମୟର କିଛି ଫଟୋ ଶେୟାର କରି ସେ ରିତେଶ ଲେଖିଛନ୍ତି ‘ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ସହ ଆମେ ଏକ ନୂଆ ଆରମ୍ଭ କରିବାକୁ ଯାଉଛୁ।’ ସେ ଆହୁରି ଲେଖିଛନ୍ତି ‘ମୋ ମାଆ ମହିଳା ସଶକ୍ତିକରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଭିଜନ୍ରେ ଅନୁପ୍ରାଣିତ। ସେ ମୋଦୀଙ୍କୁ ଭେଟି ଖୁବ୍ ଖୁସି ଅଛନ୍ତି। ସେ ଆହୁରି କହିଛନ୍ତି ଆମକୁ ଆପଣଙ୍କର ଜରୁରୀ ସମୟ ଏବଂ ଶୁଭେଚ୍ଛା ଦେଇଥିବାରୁ ଧନ୍ୟବାଦ।’ ରିପୋର୍ଟ ଅନୁଯାୟୀ ରିତେଶ ଆସନ୍ତା ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି ଏବଂ ତାଙ୍କର ବିବାହ ରିସେପସନ ଦିଲ୍ଲୀର ଏକ ୫ ତାରକା ହୋଟେଲରେ ହେବ।
ଉଲ୍ଲେଖଯୋଗ୍ୟ, ଏହି ୨୯ ବର୍ଷୀୟ ଯୁବ ଉଦ୍ୟୋଗୀ ଓଡ଼ିଶାର ଏକ ମାରଓ୍ବାଡ଼ୀ ପରିବାରେ ଜନ୍ମଗ୍ରହଣ କରିଥିଲେ। ୨୦୧୧ ରେ ସେ କଲେଜ୍ ପାଠ ପଢ଼ିବା ପାଇଁ ଦିଲ୍ଳୀ ଆସିଥିଲେ। କିନ୍ତୁ ଦୁଇ ବର୍ଷ ମଧ୍ୟରେ ସେ କଲେଜ ପାଠ ଛାଡ଼ିଥିଲେ ଏବଂ ଏବ ଫେଲୋସିପ୍ ପ୍ରୋଗାମ୍ରେ ଯୋଗଦେଇଥିଲେ। ଆଉ ଏହି ପ୍ରୋଗାମରେ ବିଜେତା ମଧ୍ୟ ହୋଇଥିଲେ ଏବଂ ୧୦୦ ଡଲାର ପୁରସ୍କାର ପାଇଥିଲେ । ସେ ଏହି ଅର୍ଥକୁ ଓୟୋ ଲଞ୍ଚ କରିବା ପାଇଁ ବ୍ୟବହାର କରିଥିଲେ ଏବଂ ମେ ୨୦୧୩ରେ ଓୟୋ ଲଞ୍ଚ କରିଥିଲେ। ଆଉ ଆଜି ଏହି କମ୍ପାନୀ ଦେଶ-ବିଦେଶରେ ସଫଳ ହୋଇଛି ।
ନିକଟରେ ଅଗ୍ରଓ୍ବାଲ କହିଥିଲେ କମ୍ପାନୀ ଇଣ୍ଡୋନେସିଆରେ ସବୁଠୁ ବଡ଼ ହସ୍ପିଟାଲିଟି ଟେକ୍ ପ୍ଲାଟଫର୍ମ ହୋଇଛି। ସେ କହିଥିଲେ କମ୍ପାନୀରେ ୨୫୦୦ ଏକ୍ସକ୍ଲୁସିଭ୍ ହୋଟେଲ ରହିଛି ଯାହାକି ପ୍ରାୟ ୧୮୦ ସହରରେ ରହିଛି। ସେ ଆହୁରି କହିଥିଲେ ୨୦୧୮ ରୁ କମ୍ପାନୀ ୧୩ ମିଲିୟନ ଲୋକଙ୍କୁ ସେବା ଯୋଗାଇଆସିଛି। ଆଉ ୧୫ ଗୁଣା ବୃଦ୍ଧି ହୋଇଛି।