ରାମଲଲାଙ୍କୁ ସର୍ମପିତ କଲେ ଜୀବନର ସବୁ ଜମାପୁଞ୍ଜି, ଜାଣନ୍ତୁ କିଏ ଏହି ଅବସରପ୍ରାପ୍ତ ଆଇଏଏସ

Published By : Prameya-News7 Bureau | November 20, 2023 IST

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ଅଯୋଧ୍ୟ ରାମମନ୍ଦିର ନିର୍ମାଣ । ଅଯୋଧ୍ୟାରେ ତିଆରି ଚାଲିଥିବା ରାମଲଲାଙ୍କ ଏହି ଭବ୍ୟ ମନ୍ଦିର ପାଇଁ ଦିନକୁ ଦିନ ଉତ୍ସାହ ବଢ଼ିବାରେ ଲାଗିଛି। ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତ ମନରେ ମଧ୍ୟ ବେଶ୍ ବ୍ୟାକୁଳ ହେଲାଣି। ଏହାରି ମଧ୍ୟରେ ଜଣେ ଏଭଳି ଭକ୍ତଙ୍କୁ ନେଇ ଚର୍ଚ୍ଚା ହେଉଛି, ଯିଏକି ନିଜ ସାରା ଜୀବନର ଜମାପୁଞ୍ଜି ରାମଲଲାଙ୍କ ପାଦତଳେ ସମର୍ପିତ କରିବାକୁ ଯାଉଛନ୍ତି। ଆଉ ତାଙ୍କର ଏଭଳି କାମକୁ ସମେସ୍ତ ଭୁରି ଭୁରି ପ୍ରଶଂସା କରୁଛନ୍ତି।

ରାମଲଲାଙ୍କ ପାଦ ତଳେ ନିଜ ଜୀବନର ଜମାପୁଞ୍ଜି ସର୍ମପିତ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାରଙ୍କ ଗୃହ ସଚିବ ଭାବରେ କାମ କରିଥିବା ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଏସ. ଲକ୍ଷ୍ମୀ ନାରାୟଣନ । ଲକ୍ଷ୍ମୀନାରାୟଣନ, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମୂର୍ତ୍ତି ସମ୍ମୁଖରେ ଏକ ଭବ୍ୟ ରାମଚରିତମାନସ ସ୍ଥାପନା କରିବେ।

ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଉଦ୍‌ଘାଟନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି: ଘରେ ଘରେ ପହଞ୍ଚିବ ପ୍ରସାଦ, ସାରା ଦେଶକୁ ଅଯୋଧ୍ୟାରେ ପରିଣତ କରିବ RSS

ରାମଚରିତମାନସର ମୂଲ୍ୟ ୫ କୋଟି:

କୁହାଯାଉଛି ଏହି ରାମଚରିତମାନସର ମୂଲ୍ୟ ୫ କୋଟି। ଏହା ସୁନାରେ ତିଆରି ହେବ ଏବଂ ଏହାର ଓଜନ ୧୫୧ କେଜି ରହିବ। ୧୦.୯୦୨ ପଦର ଏହି ମହାକାବ୍ୟର ପ୍ରତ୍ୟେକ ପୃଷ୍ଠା ତମ୍ବାରେ ତିଆରି ହୋଇଛି। ପୃଷ୍ଠାରେ ୨୪ କ୍ୟାରେଟ ସୁନାର ପରଦ ରହିବ। ପରେ ସୁନା ଖଚିତ ଅକ୍ଷର ଲେଖାଯିବ। ଏଥିରେ ୧୪୦ କିଲୋ ତମ୍ବା ଏବଂ ପାଞ୍ଚରୁ ସାତ କିଲୋ ସୁନା ଲାଗିବ। ସାଜସଜ୍ଜା ପାଇଁ ଅନ୍ୟ ଧାତୁର ମଧ୍ୟ ବ୍ୟବହାର ହେବ।

କରିବେ ସବୁ ସମ୍ପତ୍ତି ବିକ୍ରି:

ତେବେ ବଡ଼ କଥା ହେଉଛି ଏହି ପୁସ୍ତକ ପାଇଁ ନାରାୟଣନ ନିଜର ସବୁ ସମ୍ପତ୍ତିକୁ ବିକ୍ରି ଏବଂ ବ୍ୟାଙ୍କ ଖାତାକୁ ଖାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାମଚରିତମାନସକୁ ରାମଲଲାଙ୍କ ପାଦ ନିକଟରେ ରଖାଯିବ। ଏନେଇ ସେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ଠାରୁ ଏହାର ଅନୁମତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ଉଦ୍‌ଘାଟନ, ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଟ୍ରଷ୍ଟ ସଦସ୍ୟ

ରାମଚରିତମାନସ ପ୍ରସ୍ତୁତ ପାଇଁ ଲାଗିବ ତିନି ମାସ:

ତେବେ ଲକ୍ଷ୍ମୀନାରାୟଣନଙ୍କ ପରିକଳ୍ପିତ ରାମଚରିତ ମାନସକୁ ବୁମ୍ମିଦୀ ବଙ୍ଗାରୁ ଜୁଏଲାରୀ ପ୍ରସ୍ତୁତ କରିବ। ଏହି ଜୁଏଲାରି କମ୍ପାନି ନୂଆଁ ସଂସଦ ଭବନରେ ସ୍ଥାପିତ ସେଙ୍ଗୋଲ ତିଆରି କରଥିଲା। କମ୍ପାନି ସ୍ବର୍ଣ୍ଣ ଖଚିତ ରାମଚରିତ ମାନସ ଡିଜାଇନ ପ୍ରସ୍ତୁତ କରିସାରିଛି। ଏହାକୁ ତିଆରି କରିବାରେ ତିନି ମାସ ଲାଗିବ।

‘ଇଶ୍ବର ମତେ ଯାହା ଦେଇଥିଲେ ତାହା ଫେରାଉଛି‘: ଲକ୍ଷ୍ମୀନରାୟଣନ

ନିଜର ସାରା ଜୀବନର ଜମାପୁଞ୍ଜିକୁ ସର୍ମପିତ କରିବାକୁ ନେଇ ସେ କହିଛନ୍ତି, ‘‘ଇଶ୍ବର ମତେ ଜୀବନରେ ସବୁ କିଛି ଦେଇଛନ୍ତି। ବଡ଼ ବଡ଼ ପଦରେ ରହିଥିଲି। ମୋ ଜୀବନ ଭଲରେ କଟିଛି। ଅବସରରେ ମଧ୍ୟ ଖୁବ୍ ଭଲରେ ରହିଛି। ପେନସନ ଟଙ୍କା ହିଁ ଖର୍ଚ୍ଚ ହେଉନାହିଁ। ମୁଁ ଜଣେ ଡାଲି-ରୁଟି ଖାଉଥିବା ଲୋକ। ଇଶ୍ବର ମତେ ସବୁ କିଛି ଦେଇଛନ୍ତି। ଆଉ ଆଜି ମୁଁ ତାହା ହିଁ ତାଙ୍କୁ ଫେରାଉଛି।’’

ଆହୁରି ପଢ଼ନ୍ତୁ: ଡିସେମ୍ବର ମାସ ଶେଷ ସୁଦ୍ଧା ସରିବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ପ୍ରତିଷ୍ଠା ତାରିଖ ହେଲା ଘୋଷଣା

ସୂଚନାଥାଉକି, ୧୯୭୦ ମଧ୍ୟପ୍ରଦେଶର କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଏସ ଲକ୍ଷ୍ମୀନାରାୟଣନଙ୍କ ଜନ୍ମ ଚେନ୍ନାଇରେ ହୋଇଥିଲା। ଅବଶ୍ୟ ବର୍ତ୍ତମାନ ସେ ପତ୍ନୀ ସରସ୍ବତୀଙ୍କ ସହ ଦିଲ୍ଲୀରେ ରହୁଛନ୍ତି। ତାଙ୍କର ଝିଅ ପ୍ରିୟଦର୍ଶିନୀ ଆମେରିକାରେ ରହୁଛନ୍ତି। ଲକ୍ଷ୍ମୀନାରାୟଣନଙ୍କ ପିତା ସୁବ୍ରମଣ୍ୟମ କେନ୍ଦ୍ର ସରକାରରେ ସଚିବ ଏବଂ ମାଆ ଲକ୍ଷ୍ମୀ ଅନେକ କମ୍ପାନିରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ସମ୍ଭାଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.