ଦୀପାବଳିରେ ମିଳିଲାନି ଛୁଟି, ରାଗିଯାଇ ରେଷ୍ଟୁରାଣ୍ଟ ମାଲିକଙ୍କୁ ହତ୍ୟା କଲେ କର୍ମଚାରୀ

Published By : Prameya-News7 Bureau | October 27, 2022 IST

ନୂଆଦିଲ୍ଳୀ ୨୭।୧୦: ଛତିଶଗଡର ରାଜଧାନୀ ରାୟପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମଙ୍ଗଳବାର ରାତିରେ ଏକ ରେଷ୍ଟୁରାଣ୍ଟ ଅପରେଟରଙ୍କୁ ହତ୍ୟା କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଯାଞ୍ଚ ବେଳେ ପୋଲିସ୍‌ ଜାଣିବାକୁ ପାଇଲା ଯେ ଏଥିରେ ତାଙ୍କର ଦୁଇ କର୍ମଚାରୀ ସାମିଲ୍‌ ଅଛନ୍ତି। ପୋଲିସ ଅଧ ଘଣ୍ଟା ମଧ୍ୟରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ସବୁ ଘଟଣା ବିଷୟରେ କହିଥିଲେ।

ଏହି ଘଟଣା ରାୟପୁରର ମାନା ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି। ଏନେଇ ପୋଲିସ କହିଛି ଯେ ୪୫ ବର୍ଷୀୟ ଅଜୟ ଗୋସ୍ଵାମୀ ମ୍ୟାଗି ପଏଣ୍ଟ ନାମକ ଏକ ରେଷ୍ଟୁରାଣ୍ଟ ଚଳାଉଥିଲେ। ମଧ୍ୟପ୍ରଦେଶର ସାଗର ସିଂ ସାୟାମ ଏବଂ ଓଡିଶାର ଚିନ୍ମୟ ସାହୁ ତାଙ୍କ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ଗତ କିଛି ଦିନ ହେବ ଗୋସ୍ୱାମୀ ଏହି ଦୁଇ କର୍ମଚାରୀଙ୍କ ସହ ଟଙ୍କାକୁ ନେଇ କିଛି ଯୁକ୍ତ ହୋଇଥିଲା। ଅଜୟ ଗୋସ୍ୱାମୀ ସେମାନଙ୍କୁ କିଛି ମାସ ହେବ ଦରମା ଦେଉନଥିଲେ। ଦରମା ପ୍ରସଙ୍ଗରେ ସେ ପ୍ରାୟତ ତାଙ୍କ ସହ ଝଗଡା କରୁଥିଲେ।

ଦୀପାବଳିରେ ମଧ୍ୟ ସେମାନଙ୍କୁ ଦରମା କି ଛୁଟି ମଧ୍ୟ ଦେଇନଥିଲେ। ଦୀପାବଳିର ପରଦିନ ଯେତେବେଳେ ଅଜୟ ସେମାନଙ୍କୁ କାମ କରିବାକୁ କହିଥିଲେ ସେତେବେଳେ ଦୁହେଁ କହିଥିଲେ ଯେ ଆଜି ଛୁଟିଦିନ, କାମ କରିବୁ ନାହିଁ। ଏହା ଶୁଣି ଅଜୟ ତାଙ୍କୁ ବାଡ଼ିରେ ପିଟି ଥିଲେ। ଏହା ପରେ ଦୁହେଁ ରାଗି ଯାଇ ବ୍ୟବସାୟୀଙ୍କୁ ଲୁହା ରଡରେ ପିଟିପିଟି ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଦୁହିଁଙ୍କୁ ଗିରଫ କରିଛି। ସେମାନଙ୍କ ନାଁରେ ଏକ ମାମଲା ରୁଜୁ କରିବା ସହ ଜେଲ୍‌ ପଠାଇବା ପାଇଁ ପ୍ରସ୍ତୁତି କରୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.