କାହିଁକି ନିୟନ୍ତ୍ରଣ ବାହାରେ ଦରଦାମ୍‌? ପ୍ରତିକ୍ରିୟା ରଖିଲେ RBI ଗଭର୍ଣ୍ଣର

Published By : Prameya-News7 Bureau | November 12, 2022 IST

ନୂଆଦିଲ୍ଲୀ, ୧୨/୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ବାରମ୍ୱାର ପ୍ରୟାସ ପରେ ମଧ୍ୟ ଦେଶରେ ମହଙ୍ଗାମାଡ଼ ନିୟନ୍ତ୍ରଣକୁ ଆସିପାରୁନାହିଁ । ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍‌ ସମିତି ୨୦୨୨ରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କାହିଁକି ମହଙ୍ଗା ବଢ଼ୁଛି ସେ ନେଇ ମତ ରଖିଛନ୍ତି । ଏହା ସହିତ ମହଙ୍ଗା ହ୍ରାସ କରିବା ପାଇଁ ଆର୍‌ବିଆଇ ନେଇଥିବା ପଦକ୍ଷେପ ସମ୍ୱନ୍ଧରେ ମଧ୍ୟ ସୂଚନା ଦେଇଛନ୍ତି ।

ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ କହିଛନ୍ତି ଯେ ସାରା ବିଶ୍ୱ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଏଥିପାଇଁ ମୁଖ୍ୟତଃ ୩ଟି କାରଣ ଦାୟୀ ବୋଲି ସେ କହିଛନ୍ତି । କୋଭିଡ୍‌ ମହାମାରୀ, ୟୁକ୍ରେନ୍‌-ଋଷ୍‌ ଯୁଦ୍ଧ, ଆର୍ଥିକ ବାଜର କାରଣରୁ ଭାରତ ସମେତ ବିଶ୍ୱରେ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଛି । ବର୍ତ୍ତମାନ ଦେଶର ଜିଡିପି ଉନ୍ନତି ପଥରେ ରହିଛି । ବିଶ୍ୱସ୍ତରର ଅର୍ଥନୀତି ଠାରୁ ଭାରତର ଅର୍ଥନୀତିରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି । ମହଙ୍ଗା ମାଡ଼ ଏବେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ସେ କହିଛନ୍ତି ।

ସେପ୍ଟେମ୍ୱର ମାସ ଠାରୁ ଅକ୍ଟୋବରରେ ମହଙ୍ଗା କମିବ । ଆର୍‌ବିଆଇ ଗଭର୍ଣ୍ଣର ଏନେଇ କହିଛନ୍ତି ଯେ, ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫିତି ୭ ପ୍ରତିଶତରୁ କମ୍‌ ରହିବା ନେଇ ସମ୍ଭାବନା ରହିଛି । ୩ଟି କ୍ୱାଟରରେ ଯଦି ଲଗାତାର ମୁଦ୍ରାସ୍ଫିତି ୬ ପ୍ରତିଶତରୁ ଅଧିକ ରୁହେ ତେବେ ମନିଟାରୀ ପଲିସିର ଏହା ବିଫଳତା ବୋଲି ସେ କହିଛନ୍ତି ।

ରିଜର୍ଭ ବ୍ୟାଙ୍କ୍‌ ଅଧିନିୟମ ଅନୁସାରେ ଯଦି ମୁଦ୍ରାସ୍ଫିତି ୩ କ୍ୱାଟରରେ ନିୟନ୍ତ୍ରଣକୁ ନଆସେ ତେବେ ଆର୍‌ବିଆଇ କେନ୍ଦ୍ର ସରକାରଙ୍କୁ ଏହାର କାରଣ ଏବଂ ମହଙ୍ଗାକୁ ପ୍ରତିହତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ୱନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡ଼ିବ ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.